ଗ୍ରାଉଣ୍ଡ ଜିରୋ ରିପୋର୍ଟ: ୫ ହଜାର ଚାଷୀ କାହିଁକି ଧାନ ବିକ୍ରି କରିନାହାନ୍ତି?

କିଛି ଚାଷୀଙ୍କ ପାଖରେ କମ୍ ଧାନ ଅଛି, ଆଉ କିଛି ବିକ୍ରି କରିଦେଇଛନ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ ନଭେମ୍ବର ୧୪ ତାରିଖରୁ ମଣ୍ଡି ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ଜିଲ୍ଲାର ୩୭ ହଜାର ଚାଷୀ ନିଜର ନାମ ପଞ୍ଜିକରଣ କରିଥିଲେ। ପରେ ଯୋଗାଣ ବିଭାଗ ତ୍ବାରା ସର୍ଭେ କରାଯାଇ ୩୫ ହଜାର ଚାଷୀ ହିଁ ରହିଥିଲେ। ପୁଣି ସାଟେଲାଇଟ ଏବଂ ଡ୍ରୋନ ସାହାଯ୍ୟରେ ସର୍ଭେ ପରେ ଆହୁରି ଚାଷୀଙ୍କର ନାମ କଟିଲା। ଶେଷରେ ମୋଟ ୩୪,୧୬୬ ଚାଷୀ ରହିଲେ। ତେବେ ଆଜି ସୁଦ୍ଧା ଜିଲ୍ଲାର ୨୮,୩୨୩ ଜଣ ଚାଷୀ ନିଜର ଧାନ ବିକ୍ରି କରିପାରିଛନ୍ତି। ଏବେ ମଧ୍ୟ ୫,୮୪୩ ଜଣ ଚାଷୀ ନିଜର ଧାନ ବିକ୍ରି କରିପାରି ନାହାନ୍ତି, ଯାହାର ଅନୁସନ୍ଧାନ ପାଇଁ ଆମେ ବିଭିନ୍ନ ପଞ୍ଚାୟତ ଗସ୍ତ କରି ଏହାର ସତ୍ୟାସତ୍ୟ ଖୋଜିଥିଲୁ। ବହୁ ଚାଷୀ ନିଜର ନାମ ପଞ୍ଜିକରଣ କରିଛନ୍ତି କିନ୍ତୁ ସେମାନ ନିକଟରେ ଧାନ ନାହିଁ। କିଛି ଚାଷୀଙ୍କର ଟୋକେନ କିମ୍ବା ମେସେଜ ଆଜି ପର୍ଯ୍ୟନ୍ତ ଆସି ନାହିଁ। କିଛି ଚାଷୀ ନିଜର ଧାନକୁ ଦଲାଲ ହାତରେ ଟେକି ଦେଇଛି।

ଉଦାହରଣ ସ୍ବରୂପ ଗନ୍ଦିପାଲୀ ଗ୍ରାମର ଗଣପତି ଦୁରୁଆଙ୍କୁ ଭେଟିବା ପରେ ସେ ବର୍ତ୍ତମାନ ୪୦ କ୍ବିଣ୍ଟାଲ ଧାନ ମଣ୍ଡିରେ ବିକ୍ରି ପାଇଁ ମେସେଜ ପାଇଥିବା କହିଥିଲେ। କିନ୍ତୁ ତାଂକ ନିକଟରେ ଧାନ ନାହିଁ। ସେ ଏବେ ବିଭିନ୍ନ ସ୍ଥାନରୁ ଧାନ ସଂଗ୍ରହ କରି ନିଜର ଧାନକୁ ବିକ୍ରି କରିବେ ବୋଲି କହିଥିଲେ। ସେହିପରି ସୁକୁଲୁ ଦୁରୁଆ ମଧ୍ୟ ୪୦ କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ମେସେଜ ପଠାଯାଇଛି। କିନ୍ତୁ ସେ ଧାନ କଟା ସରିବା ପରେ ଧାନକୁ ଦଲାଲା ହାତରେ ଟେକି ଦେଇ ଦାଦନ ଖଟିବାକୁ ହାଇଦ୍ରାବାଦ ଚାଲିଗଲା। ପରିବାର କହିଲେ ସୁକୁଲର ପତ୍ନୀ ଏବଂ ପିଲାମାନେ ଘରେ ରହିଛନ୍ତି। ପାଖରେ ଧାନ ନାହିଁ। ସୁକୁମଣି ଦୁରୁଆ, ପଦିଆ ମାଡକାମୀ, ସୋମା ଦୁରୁଆ, ସତୀଶ ଦୁରୁଆ, ଶ୍ୟାମସୁନ୍ଦର ଦୁରୁଆ, ଶଂକର ଦୁରୁଆ, ଗାଗରୁ ଦୁରୁଆଙ୍କର ଅବସ୍ଥା ଏକାପରି। ସମା ଦୁରୁଆଙ୍କ ଘରେ ମାତ୍ର ତିନି ଚାରି କ୍ବିଣ୍ଟାଲ ଧାନ ରହିଛି।ନିଜର ଗୋଟିଏ ଏକର ଜମିରୁ ଯାହା ବାହାରିଲା ସେତକ କେବଳ ଖାଇବା ପାଇଁ ରଖିଥିବା ସେ କହିଥିଲେ। ନିଜର ଚାରି ପିଲାଙ୍କ ପାଇଁ ସେ ଦାନା ଆଗାମୀ ଚାରି ପାଞ୍ଚ ମାସ ପାଇଁ ରଖିଥିବା କହିଥିଲେ। ମଣ୍ଡିରେ ଧାନ ବିକ୍ରି କରିବାକୁ ମୋ ପାଖରେ ଧାନ ନଥିବା କହିଥିଲେ। ଖାଇବାକୁ ଧାନ ନଥିବା ବେଳେ ମଣ୍ଡିରେ କଣ ବିକ୍ରି କରିବି ବୋଲି ଯୁକ୍ତି ବାଢିଥିଲେ।

ସେହିପରି ଗାଗରୁ ଦୁରୁଆ ନିଜର ଧାନକୁ ଦଲାଲ ପାଖରେ ବିକ୍ରି କରିବାକୁ ନେଇଥିବା ଦେଖିବାକୁ ମିଳିଥିଲା। ମଣ୍ଡିରେ ଧାନ ବିକ୍ରି ପାଇଁ ନା ଟୋକେନ ଆସିଲା ନା ମେସେଜ ଆସିଲା।ତେଣୁ ସେ ବାଧ୍ୟ ହୋଇ ବାହାରେ ଧାନ ବିକ୍ରି କରିବ ବୋଲି କହିଥିଲା। ତେବେ ସାହୁକାର ଠାରୁ ଋଣ ଆଣିଥିବାରୁ ବାଧ୍ୟ ହୋଇ ସେମାନଙ୍କୁ କମ୍ ଦାମରେ ଧାନ ବିକ୍ରି କରିବାକୁ ପଡୁଥିବା କହିଥିଲେ। ସେହିପରି ବହୁ ଗରିବ ଚାଷୀ ଯେଉଁମାନଙ୍କର ନାମ ପଞ୍ଜିକରଣ ହୋଇଛି ଏବଂ ଟୋକେନ ଆସିଛି ସେମାନେ ମଣ୍ଡିରେ ଧାନ ବିକ୍ରି କରିପାରିବେ ନାହିଁ ବୋଲି କହିଥିଲେ। ଏହାର କାରଣ ଥିଲା ବର୍ଷ ଆରମ୍ଭରୁ ସେମାନେ ଯାନିଯାତ୍ରା ହେଉ ବା ବିବାହ, ଦଶାହ କାର୍ଯ୍ୟ ପାଇଁ ସାହୁକାର ଏବଂ ଦଲାଲମାନଙ୍କ ପାଖରେ ଟଂକା ଆଣିଥାନ୍ତି। ଚାଷ ହେବା ପରେ ଧାନ ଦେବାର ପ୍ରତିଶ୍ରୁତି ଦେଇଥାନ୍ତି। ତେଣୁ ପ୍ରାୟତଃଚାଷୀ ନିଜର ଧାନକୁ ଦଲାଲ ଏବଂ ସାହୁକାରଙ୍କ ହାତରେ ଧାନ ଟେକି ଦେଇଥିବା କହିଥିଲେ। ମଣ୍ଡିରୁ ଟୋକେନ ମିଳିଲେ କଣ କରିବେ ବୋଲି କହିଥିଲେ।

ଏବେ ଦଲାଲମାନେ ସକ୍ରିୟ ହୋଇଯାଇଛନ୍ତି। ଯେଉଁ ଚାଷୀଙ୍କ ନାମ ପଞ୍ଜିକରଣ ହୋଇଛି ଏବଂ ଟୋକେନ ଆସିଛି କିନ୍ତୁ ସେମାନଙ୍କ ପାଖରେ ଧାନ ନାହିଁ। ଦଲାଲମାନେ ସେମାନଙ୍କ ଟୋକେନରେ ମଣ୍ଡିରେ ଧାନ ବିକ୍ରି କରିବେ। ଚାଷୀମାନଙ୍କୁ ମଦ ପିଇବା ପାଇଁ କିଛି ଟଂକା ଦେଇଦେଲେ ସେମାନେ ଦଲାଲଙ୍କ ଧାନକୁ ନିଜର ଧାନ ବୋଲି କହିବେ। ଏଥିରେ ବିଭାଗୀୟ ଅଧିକାରୀମାନେ ମଧ୍ୟ ସାମିଲ ହେବେ। ତେଣୁ ଏହାର ଉଚିତ ତଦନ୍ତ ହେଲେ ପ୍ରକୃତ ଚାଷୀ ନିଜର ଧାନ ବିକ୍ରି କରିପାରିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର