ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟବସାୟୀଙ୍କ ଠାରୁ ୧ କୋଟି ୭୬ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ତେବେ ପୂର୍ବବର୍ଷ ଲକ୍ଷ୍ୟଧାର୍ଯ୍ୟର ୯୦ ପ୍ରତିଶତରୁ ସାମାନ୍ୟ ଅଧିକ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଖୋର୍ଦ୍ଧା ଜିଲ୍ଳାରେ ୨ଟି ଘରୋଇ ୱେରହାଉସ୍, ୮୨ଟି ପେଟ୍ରୋଲ୍ ପମ୍ପ, ୩୯୦ଟି ଟ୍ୟାଙ୍କର ସହ ୬୮ଟି ବିଭିନ୍ନ ମଧ୍ୟମ ଓ ବୃହତ ଶିଳ୍ପାନୁଷ୍ଠାନ ସହ ମାପ ଓ ଓଜନ ବିଭାଗ ସହ ସମ୍ପର୍କିତ ଅନ୍ୟାନ୍ୟ ପ୍ରତିଷ୍ଠାନ ୧୦୯ଟି ରହିଛି। ସମଗ୍ର ରାଜ୍ୟରେ ସୁନ୍ଦରଗଡ଼ ପରେ ମାପ ଓ ଓଜନ ବିଭାଗ ଅଧୀନରେ ଆସୁଥିବା ଶିଳ୍ପ ପ୍ରତିଷ୍ଠାନ, ଅନୁଷ୍ଠାନ ଆଦି ଠାରୁ ରାଜସ୍ୱ ଆଦାୟରେ ଖୋର୍ଦ୍ଧା ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି।

Advertisment

୨୦୨୨-୨୩ ଆର୍ଥିକ ବର୍ଷରେ ଏହି ସମସ୍ତ ପ୍ରତିଷ୍ଠାନ ଓ ଅନୁଷ୍ଠାନ ଠାରୁ ଲାଇସେନ୍ସ ନବୀକରଣ, ନୂତନ ଲାଇସେନ୍ସ ପ୍ରଦାନ, ଟିକସ ଆଦିରୁ ପ୍ରାୟ ୧ କୋଟି ୩୦ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ଏହାକୁ ବୃଦ୍ଧି କରାଯାଇ ୧ କୋଟି ୭୬ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। କେବଳ ଏହାନୁହେଁ ଚଳିତବର୍ଷ ଶତପ୍ରତିଶତ ଲକ୍ଷ୍ୟ ଧାର୍ଯ୍ୟ ପୂରଣ କରିବାକୁ ବିଭାଗୀୟ ନିର୍ଦେଶ ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଏହି ଲକ୍ଷ୍ୟ ଧାର୍ଯ୍ୟ ପୂରଣ କରିବାକୁ ଚଳିତବର୍ଷ ଅଧିକ କ୍ୟାମ୍ପର ଆୟୋଜନ କରାଯିବ। ବ୍ୟବସାୟୀ ଚିହ୍ନଟ ଓ କମ୍ପାଉଣ୍ଡିଂ ଫିଜ୍ ଆଦାୟ ଯଦିଓ ଜିଲ୍ଲାରେ ପୂର୍ବବର୍ଷ ତୁଳନାରେ ଅଧିକ ହୋଇଛି ତେବେ ଏହାକୁ ଅଧିକ ତ୍ୱରାନ୍ୱିତ ଓ ସମୟନୁଯାୟୀ କରାଯିବ। ଏହାସହ ପ୍ରତିସପ୍ତାହରେ ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟକ୍ରମ କରାଯାଇ ମାପ ଓ ଓଜନ ଠକେଇ ଆଦିର ଜୋରିମାନା ଆଦି ଆଦାୟ କରାଯିବ।