ସୀମାରେ ନିୟୋଜିତ ଯବାନଙ୍କ ପାଖକୁ ୩ ହଜାର ରାକ୍ଷୀ ପଠାଇଲା ଏବିଭିପି

ଦେଶର ସୁରକ୍ଷା ପାଇଁ ରାକ୍ଷୀ ପ୍ରଦାନ କଲେ ଛାତ୍ରଛାତ୍ରୀ ଓ ଜନସାଧାରଣ

ବାଲେଶ୍ୱର: ରାତି ପାହିଲେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ବିପଦରେ ନିଜର ସୁରକ୍ଷା କାମନା କରି ଭଉଣୀ ଭାଇ ହାତରେ ସେଦିନ ରାକ୍ଷୀ ବାନ୍ଧିଥାଏ। ମାତ୍ର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏକ ନିଆରା ଢଙ୍ଗରେ ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଛି। ସୀମାରେ ରହି ଦେଶକୁ ସୁରକ୍ଷା କରୁଥିବା ଯବାନମାନଙ୍କ ପାଖକୁ ରାକ୍ଷୀ ପଠାଇବା ପାଇଁ ସଂଗଠନ ପକ୍ଷରୁ ରାକ୍ଷୀ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲା ଏବିଭିପି ଶାଖା ତରଫରୁ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ତଥା ଜନସାଧାରଣଙ୍କଠାରୁ ରାକ୍ଷୀ ସଂଗ୍ରହ କରାଯାଉଛି।

ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ, କୁନ୍ତଳାକୁମାରୀ ମହିଳା ମହାବିଦ୍ୟାଳୟ, ବାଲେଶ୍ୱର ମହିଳା ମହାବିଦ୍ୟାଳୟ, ନୀଳଗିରି ମହାବିଦ୍ୟାଳୟ, ରୂପ୍ସା ନୀଳମଣି ମହାବିଦ୍ୟାଳୟ, ଜଳେଶ୍ୱର ଦୀନକୃଷ୍ଣ ମହାବିଦ୍ୟାଳୟ, ସିମୁଳିଆ ମହାବିଦ୍ୟାଳୟ, ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟ, ରେମୁଣା କଲେଜ, ସରକାରୀ ପଲିଟେକ୍ନିକ୍‌, ସରକାରୀ ଆଇଟିଆଇ, ମଙ୍ଗଳପୁର ଶ୍ରୀନିବାସ ମହାବିଦ୍ୟାଳୟ ସମେତ, ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଠାରୁ ଇତିମଧ୍ୟରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ୱ ରାକ୍ଷୀ ସଂଗ୍ରହ କରାଯାଇଛି। ଏହି ରାକ୍ଷୀ ଆଜି ଦିଲ୍ଲୀସ୍ଥିତ ଆର୍ମି ମୁଖ୍ୟାଳୟକୁ ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ପଠାଯାଇଛି। ସୀମାରେ ନିୟୋଜିତ ଭାରତୀୟ ଯବାନଙ୍କ ଶୁଭ ମନାସି ଏବଂ ସେମାନଙ୍କ ମନୋବଳ ବଢାଇବା ପାଇଁ ଏକ ଦେଶପ୍ରେମୀ ଛାତ୍ର ସଂଗଠନ ହିସାବରେ ଏବିଭିପି ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ରାଜ୍ୟ ସହ ସମ୍ପାଦକ ଲକ୍ଷ୍ମୀନାରାୟଣ ନାୟକ କହିଛନ୍ତି।

ସଂଗଠନର ଜିଲ୍ଲା ପ୍ରମୁଖ ପ୍ରତ୍ୟୁଷ କୁମାର ବେହେରା, ଜିଲ୍ଲା ସଂଯୋଜକ ରଜତ କୁମାର ପାତ୍ର, ଜିଲ୍ଲା ଛାତ୍ରୀ ପ୍ରମୁଖ ଜୟଶ୍ରୀ ବେହେରା, ସହ-ଛାତ୍ରୀ ପ୍ରମୁଖ ଦୀପାଞ୍ଜଳି ପାତ୍ର, ବାଲେଶ୍ୱର ନଗର ସଂପାଦକ ସୁବ୍ରତ କୁମାର ମାଝୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଛି। ସଂଗଠନର ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର