ସ୍କୁଲ ପରିସରରେ ଗଛ ଡାଳ ପଡ଼ି ଛାତ୍ର ମୃତ

ଖୋର୍ଦ୍ଧା: ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ସ୍କୁଲ ପରିସରରେ ଗୁରୁବାର ଅପରାହ୍ନରେ ଏକ ଗଛଡାଳ ପଡି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଛାତ୍ରଙ୍କ ନାମ ରିତେଶ ପ୍ରଧାନ ଓରଫ ମୁନା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କ୍ଷେତ୍ରବାସୀ ଏକାଡେମୀ ସ୍କୁଲରେ ରିତେଶ ପ୍ରଧାନ ଓରଫ ମୁନା ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ। ଫନି ବାତ୍ୟା ସମୟରେ ସ୍କୁଲ ସାମ୍ନାରେ ଏକ ବିରାଟ ବଡ଼ ଆମ୍ବଗଛର ଡାଳ ଭାଙ୍ଗି ଝୁଲି ରହିଥିଲା। ଏହା ଉପରେ କାହାରି ବିଶେଷ ଧ୍ୟାନ ନ ଥିଲା। ତେବେ ଆଜି ରିତେଶ ଏହି ଗଛ ଡାଳ ତଳେ ଯାଉଥିବା ସମୟରେ ହଠାତ ଭଙ୍ଗା ଡାଳଟି ତାଙ୍କ ଉପରେ ପଡ଼ି ଯାଇଥିଲା। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି।

ଏହି ଘଟଣା ପରେ ସ୍କୁଲ ପରିସରରେ ଉତ୍ତେଜନା ଲାଗି ରହିଥିବା ବେଳେ ସ୍ଥାନୀୟଲୋକେ ଓ ଅଭିଭାବକମାନେ ସ୍କୁଲ ଭିତରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର