କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଶୁଆକାଟି ତାରିଣୀ ମନ୍ଦିର ନିକଟରେ ଆଜି ପୂର୍ବାହ୍ନ ୧୧ଟାବେଳେ ସରିଜ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ମୃତ ଯୁବକ ହେଲେ ପାଟଣା ଥାନା ଅନ୍ତର୍ଗତ ଖଡ଼ିକାପଦା ଗ୍ରାମର ତ୍ରିନାଥ ମହାନ୍ତ। କେନ୍ଦୁଝର ସହରର ଧାଙ୍ଗରପଡ଼ା ନିକଟରେ ତ୍ରିନାଥଙ୍କ ଏକ ମୋଟରସାଇକଲ ଗ୍ୟାରେଜ ରହିଛି। କୌଣସି କାମରେ ସେ ଆଜି ଶୁଆକାଟି ଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ କେନ୍ଦୁଝରରୁ ଶୁଆକାଟି ଦେଇ ତେଲକୋଇ ଅଭିମୁଖେ ଯାଉଥିବା ଅମ୍ବା ନାମକ ଏକ ଘରୋଇ ବସ୍‌ (ଓଡି-୦୯-କ୍ୟୁ- ୨୭୨୩)କୁ ପଛରୁ ଆସୁଥିବା ଏକ ଟ୍ରକ୍‌ (ଓଡି-୧୬-ଏଚ୍‌-୭୨୩୭) ଧକ୍କା ଦେଇଥିଲା। ପରେ ଟ୍ରକ୍‌ଟି ଏକ ପିକଅପ୍ ଭ୍ୟାନ୍ ଓ ବୁଲେଟ୍ ବାଇକ୍‌କୁ ଧକ୍କା ଦେଇଥିଲା। ଟ୍ରକ୍‌ଟି ବାଇକ୍‌ ଆରୋହୀ ଲମ୍ବୋଦରଙ୍କୁ ବାଇକ୍ ସହ ଘୋଷାରି ନେଇ ତାଙ୍କ ଜଂଘ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ଲମ୍ବୋଦରଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍‌ ପଛରେ ବସିଥିବା ବରୁଣ ନାଏକ ଛିଟିକି ପଡ଼ି ଆହତ ହୋଇଥିଲେ। ସେହିପରି ଦୁର୍ଘଟଣାରେ ବସ୍‌ରେ ଥିବା ୧୧ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଖବର ପାଇ ଶୁଆକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି। ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି।

ସୂଚନାଯୋଗ୍ୟ, ଲୁହାପଥର ଲୋଡିଂ ପାଇଁ ଅଞ୍ଜରଠାରୁ ଶୁଆକାଟି ପର୍ଯ୍ୟନ୍ତ ରାସ୍ତାରେ ଶହଶହ ଟ୍ରକ୍‌ ଛିଡ଼ା ହେଉଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ସାଧାରଣ ଲୋକଙ୍କ ଯାତାୟାତ ପାଇଁ ଏହି ରାସ୍ତା ଅସୁରକ୍ଷିତ ହୋଇପଡ଼ିଛି। କେତେକ ଟ୍ରକ୍‌ ଚାଳକ ରୋଡ ଡିଭାଇଡର ଡେଇଁ ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ଗାଡ଼ି ନେଉଛନ୍ତି। ଆଉ କେତେକ ଧାଡ଼ି ଭାଙ୍ଗି ଆଗକୁ ଯାଇ ଆଉ ଗୋଟିଏ ଧାଡ଼ିରେ ଟ୍ରକ୍‌ ଛିଡ଼ା କରୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ବାରମ୍ବାର ଦୁର୍ଘଟଣା ଘଟୁଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତାକଡ଼ରୁ ବେଆଇନ ଟ୍ରକ୍‌ ପାର୍କିଂ ହଟାଇବାକୁ ଦାବି ହେଉଛି।