ଜୟପୁର/ସେମିଳିଗୁଡା/ ପଟ୍ଟାଙ୍ଗୀ: ରାତି ପାହିଲେ ହୋଇଥାନ୍ତା ଭାଇ ବାହାଘର। ଭାଗ୍ୟର ବିଡମ୍ବନା ଭାଇ ବୋଉ ଡାକରା ପାଇଁ ଯାଇଥିବା ଭଉଣୀ, ଜ୍ୟୋଇଁ ଓ ଭାଣିଜୀ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆରପାରିକୁ ଚାଳିଗଲେ। ଏଭଳି ଦୁଃଖଦ ଖବର ପ୍ରଚାର ହେବା ପ‌ରେ ଜୟପୁର ପୁରୁଣାଗଡ଼, ବୋରିଗୁମ୍ମା ଓ ପଟାଙ୍ଗୀ ବ୍ଲକ କୁନ୍ଦୁଲି ନିକଟସ୍ଥ ମାଳିମରଲା ଗାଁରେ ଶୋକର ଛାୟା ଖେଳିବା ସହ କାନ୍ଧ ବୋବାଲିରେ ପାଟି  ପଡ଼ିଛି। ଭାଇର ବାହାଘରକୁ ପରିବାରବର୍ଗ ବାତିଲ୍  କରିଦେଇଛନ୍ତି।

Advertisment

ସୂଚନା ଅନୁଯାୟୀ,  ଆଜି ସକାଳ ୬ଟା ବେଳେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅର୍ନ୍ତଗତ ପୁଙ୍ଗାର ନିକଟରେ ହୋଇଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା। ଆସନ୍ତାକାଲି ବୋରିଗୁମ୍ମାରେ ଭାଇର ବାହାଘର ରହିଥିଲା। ଭାଇ କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ କୁନ୍ଦୁଲି ନିକଟସ୍ଥ ମାଳିମରଲା ଗାଁରେ ଝିଅକୁ ବାହା ହେବାର ରହିଥିଲା।  ନୂଆ ବୋଉଙ୍କୁ ଡାକରା କରିବା ପାଇଁ ଯାଉଥିଲେ ଜୟପୁର ପୁରୁଣାଗଡ଼ରେ ଭଉଣୀ ରଶ୍ମିତା ପ୍ରଧାନ । ଭଉଣୀ ରଶ୍ମି ନିଜ ସ୍ବାମୀ ରବି ଓରଫ ଶତ୍ରୁଘ୍ନ ପ୍ରଧାନ ଓ ୭ବର୍ଷର ଝିଅ ମାହି ଓରଫ ଶୁଭଲକ୍ଷ୍ମୀକୁ ନେଇ ସାଙ୍ଗରେ କାରରେ ଯାଉଥିଲେ। ମାତ୍ର ୩କିଲୋମିଟର କୁନ୍ଦୁଲି ନିକଟସ୍ଥ ମାଳିମରଲାରେ ପହଚିଂବାର ଥିଲା। ତେବେ ଯମ ପାଶ ନେଇ ୩କିଲୋମିଟର ପୂର୍ବରୁ ଅପେକ୍ଷା କରିଥିବା ଜାଣି ପାରିନଥିଲେ। ପୁଙ୍ଗାର ନିକଟରେ ଏହି ପରିବାର ଯାଉଥିବା କାର ନଂ ଓଡି ୧୦ପି ୫୯୧୨ ଟି ସାମ୍ନା ପଟରୁ ଆସୁଥିବା ଏକ ଏସିଡ୍ ବୋଝେଇ ଟ୍ୟାଙ୍କନଂଓଡି ୭ଏଡି ୨୫୧୭ର ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣା ଏତେ ଜୋର ହୋଇଥିଲା ଯେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଏପରିକି ଏହି ତିନି ଜଣଙ୍କ ସହ ମୃତ ରଶ୍ମିତାଙ୍କ ଗର୍ଭରେ ଥିବା ୮ମାସର ଛୁଆ ମଧ୍ୟ ଦୁନିଆ ଦେଖିବା ପୂର୍ବରୁ ମରିଯାଇଥିବା କହିଛନ୍ତି ତାଙ୍କ ମାମୁଁ ମୁନ୍ନା ପ୍ରଧାନ।  କାରରେ ଲାଗିଥିବା ବେଲୁନ୍ ଗୁଡିକ ଦୁର୍ଘଟଣା ପରେ ବାହାରକୁ ବାହାରି ଥିଲେ ହେଁ ଏମାନେ ବଂଚି ପାରି ନଥିଲେ। ଦୁର୍ଘଟଣା ପରେ ପ୍ରବଳ ଶବ୍ଦ ଶୁଣି ପୁଙ୍ଗାର ଗ୍ରାମବାସୀ ଓ ଭାରତମାଳା ରାଜପଥ କାମ କରୁଥିବା ଶ୍ରମିକ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ।  କାର ଭିତରେ ଚାପି ହୋଇ ରହିଥିବା ମୃତ ଦେହ ଗୁଡିକୁ ବାହାର କରିପାରିନଥିଲେ। ଏତେ ଜୋରରେ ଦୁର୍ଘଟଣା ହୋଇଥିଲା ଯେ କାରଟି ସଂପୁର୍ଣ୍ଣ ଚୁରମାର ହୋଇଯାଇଥିଲା।  ଉଭୟ ଗାଡି ରାସ୍ତା ଉପରେ ରହିବା ଯୋଗୁଁ ଜାତୀୟ ରାଜପଥ  ୨୬ ଜାମ ହୋଇ ଯାନବାହାନ ଚଳାଚଳ ବ୍ୟାଘାତ ହୋଇଥିଲା । ଖବର ପାଇ ପଟାଙ୍ଗୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ମୃତକ ଙ୍କୁ ଉଦ୍ଧାର କରି ପଟାଙ୍ଗୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ବ୍ୟବଛେଦ ପାଇଁ ପଠାଇଥିଲେ। ଜେସିବି ଯୋଗେ ଗାଡି ଦୁଇଟି କୁ ରାସ୍ତା ରୁ ଉଠାଇବା ପରେ ଗାଡି ଚଳା ଚଳ ସ୍ୱାଭାବିକ ହୋଇଥିଲା ।

ରବିଙ୍କ ପରିବାର ଜୟପୁରରେ ରହୁଥିବାରୁ ଏଠାକୁ ଆଣି ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା। ମୃତ ରବି ଓରଫ ଶତ୍ରୁଘ୍ନ ଜୟପୁରରେ ରାମକ୍ରୀଷ୍ଣାଙ୍କ ନିକଟରେ  ଟ୍ରକ ଡ୍ରାଇଭର ଭାବେ କାମ କରୁଥିଲେ। ଶଳାର ବାହାଘର ପାଇଁ ଛୁଟି ନେବା ସହ ମାଲିକଙ୍କ କାର ବାହାଘର ପାଇଁ ମାଗିକି ନେଇଥିଲେ ମୃତ ରବି। ପୁରୁଣାଗଡ଼ରେ ବିନୋଦ ଦଳାଇଙ୍କ ଘର ଭଡାରେ ନେଇ ପରିବାର ସହ ରହି ଆସୁଥିଲେ ରବି । ସାହିରେ ସମସ୍ତଙ୍କ ଅତି ଆପଣାର  ରବି ପ୍ରେମବିବାହ କରିଥିବା ବେଳେ ତାହାର ବାହାଘର ସାହିବାସିନ୍ଦା କରାଇଥିବା କହିଛନ୍ତି ଘର ମାଲିକ ବିନୋଦ। ଚାଳକ ଭାବେ କାମ କରୁଥିବା ରବି ଅତ୍ୟନ୍ତ ଶାନ୍ତ ଓ ଭଦ୍ର , ମିଷ୍ଟଭାଷୀ ଭାବେ ପରିଚିତ ଥିଲେ। ତିନି ଜଣଙ୍କର ମରଶରୀର ଜୟପୁର ପୁରୁଣାଗଡ଼ସ୍ଥ ବାସଭବନକୁ ଅଣାଯିବା ପରେ ଏଠାରେ ଶେଷକୃତ୍ୟ ସଂପନ୍ନ କରାଯାଇଥିବା କହିଛନ୍ତି ତାଙ୍କ ମାମୁଁ ମୁନ୍ନା। ତିନି ଜଣଙ୍କ ମରଶରୀର ଜୟପୁର ପହଚିଂବା ପରେ ଏଠାରେ କାନ୍ଧବୋବାଲିରେ ସାହି ଉଠି ପଡ଼ିଥିଲା। ଏକା ନିକଟରେ ତିନି ଜଣଙ୍କ ଜୁଇ ଲାଗିବାସହ ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା। ଆସନ୍ତାକାଲି ହେବାକୁ ଥିବା ବାହାଘରକୁ ବାତିଲ କରାଯାଇଛି ବୋଲି କହିଛନ୍ତି ମାମୁଁ ମୁନ୍ନା ପ୍ରଧାନ।