ଟ୍ରଲରକୁ ପିଟିଲା ନାଇଟ୍‌ କୋଚ୍‌ ବସ୍‌: ହେ‌ଲପର ସମେତ ୪ ଯାତ୍ରୀ ଆହତ

ରାଉରକେଲା: ରାଉରକେଲାରୁ ପୁରୀ ଯାଉଥିବା ଘରୋଇ ଯାତ୍ରୀବାହୀ ନାଇଟ୍‌ କୋଚ୍‌ ବସ୍‌ ଗତକାଲି ବିଳମ୍ବିତ ରାତିରେ ଅନୁଗୋଳ ଜିଲ୍ଲା ପିତିରି ଦଦରା ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାତି ପ୍ରାୟ ୧ଟାରେ ଘରୋଇ ଯାତ୍ରୀବାହୀ ବସ୍‌ ‘କାଳିଆ କାହ୍ନୁ’ ଟ୍ରେଲରୁ ଧକ୍କା ଦେବାରୁ ହେଲପ୍‌ର, କଣ୍ଡକ୍ଟର ସମେତ ୫ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଛି। ଅନ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାତ୍ରୀମାନଙ୍କୁ ରାଉର‌କେଲାରୁ ଭୁବନେଶ୍ବର ଯାଉଥିବା ଅନ୍ୟ ଏକ୍ସପ୍ରେସ୍‌ ବସ୍‌ରେ ନିଜ ନିଜର ଗନ୍ତବ୍ୟସ୍ଥଳକୁ ଛଡାଯାଇଛି। ଅନୁଗୋଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ଡ୍ରାଇଭର ତ୍ରୁଟିରୁ ଏଭଳି ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଯାତ୍ରୀମାନେ କହିଛନ୍ତି। ରାଉରକେଲାରୁ ଭୁବନେଶ୍ବର ଯାଉଥିବା ଘରୋଇ ବସ୍‌ଗୁଡ଼ିକ ବାରମ୍ବାର ଏଭଳି ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ଯାତ୍ରୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୨୭ରେ ଚାନ୍ଦିପୋଷ ଥାନା ନିକଟରେ ଘରୋଇ ବସ୍‌ ‘ପ୍ରଭା’ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୪ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ୫ରୁ ଅଧିକ ଯାତ୍ରୀ ଗୁରୁତର ‌ହୋଇଥିଲେ। ଚାନ୍ଦିପୋଷ ଥାନାଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିବା ଖୁସବୁ ଢ଼ାବା ପାଖରେ ଏକ ହାଇୱା (ଓଡି-୧୬-ଏଫ୍‌-୨୭୭୫) ବ୍ରେକ୍‌ ଡାଉନ୍‌ ହେବାରୁ ଛିଡ଼ା ହୋଇରହିଥିଲା। ବସ୍‌ଟି ଅତି ଦ୍ରୁତଗତିରେ ଆସୁଥିବାରୁ ବସ୍‌ ଚାଳକ ରାସ୍ତା ଉପରେ ଛିଡ଼ା ହୋଇଥିବା ହାଇୱାକୁ ଦେଖିପାରି ନଥିଲେ।

ସମ୍ଭବତଃ ମାତ୍ରାଧିକ ବେଗ ସହ ଚାଳକଙ୍କ ଆଖି ଲାଗିଯିବାରୁ ବସ୍‌ଟି ହାଇୱାର ପଛପଟକୁ ଧକ୍କା ଦେଇଥିଲା। ଫଳରେ ଚାଳକଙ୍କ ସହ ତାଙ୍କ ପଛପଟେ ବସିଥିବା ବସ୍‌ ମାଲିକ ତାଙ୍କ ପଛକୁ ବସିଥିବା ଆର୍ଶିତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। କେବଳ ଏତିକି ନୁହେଁ ଦୈନିକ ରାଉରକେଲାରୁ ପ୍ରାୟ ୨୦୦୦ରୁ ଅଧିକ ଯାତ୍ରୀ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଉଛନ୍ତି। ରାଉରକେଲାରୁ କଟକ, ଭୁବନେଶ୍ବର, ବାଲେଶ୍ବର, ବାରିପଦା, ବ୍ରହ୍ମପୁର, କୋରାପୁଟ, ରାୟଗଡ, ପାରାଦୀପ, ଜଗତସିଂହପୁର, ଯାଜପୁର, ରାଜକନିକା, ଭଦ୍ରକ, ଚାନ୍ଦବାଲି, ପୁରୀ, କାକଟପୁର, ଫୁଲବାଣି ଆଦି ଅଞ୍ଚଳକୁ ନାଇଟ୍‌ ସୁପର ବସ୍‌ ଯାତାୟତ କରୁଛି। ଦୈନିକ ଯେତିକ ବସ୍‌ ଯାଉଛି, ତା’ ୪୦% ବସ୍‌ କେବଳ କଟକ ଓ ଭୁବନେଶ୍ବର ଯାଉଛି। ରାତିରେ ସବୁ ବସ୍‌ଗୁଡ଼ିକ ଚାଲୁଥିବାରୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ ବସ୍‌ରେ ଦୁଇଜଣ ଲେଖାଏଁ ଡ୍ରାଇଭର ରହିବା ଦରକାର। ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରାକୁ ଦୃଷ୍ଟିରେ ରଖି ଏଥିପ୍ରତି ଉଭୟ ବସ୍‌ ମାଲିକ ଓ ପରିବହନ ବିଭାଗ ଧ୍ୟାନ ଦେବାକୁ ଯାତ୍ରୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର