ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ନୟାକୋଟ ଥାନା ଧାନଗଦି ପେଟ୍ରୋଲ ପମ୍ପ ନିକଟରେ ଗତକାଲି ସନ୍ଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମା’ ତାରିଣୀଙ୍କ ଦର୍ଶନ କରି ଫେରୁଥିବା ବେଳେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ କଣ୍ଟେନର ପଛରେ କାର୍‌ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି। କାର୍‌ରେ ଥିବା ଅନ୍ୟ ୪ଜଣ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଓ ପୁଲିସ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ମୃତ ମହିଳା ଜଣକ ହେଲେ ରାଉରକେଲାର ଉଷାରାଣୀ ମୁଦୁଲି (୩୫)।

Advertisment

ଗତକାଲି ସନ୍ଧ୍ୟାରେ ରାଉରକେଲାର ସୋମନାଥ ମୁଦୁଲି, ସ୍ତ୍ରୀ ଉଷାରାଣୀ ମୁଦୁଲି, ଦୁଇଶିଶୁ, ସମ୍ପର୍କୀୟ ବବିତା ସିଂ ଓ ତାଙ୍କ ପୁଅ ଘଟଗାଁରୁ ମା’ ତାରିଣୀଙ୍କୁ କରି ଏକ କାର୍‌ରେ ରାଉରକେଲା ଫେରୁଥିଲେ। ବିଏସ୍‌ଏନ୍‌ଏଲ୍‌ କେବୁଲ୍ ମରାମତି କାମରେ ନିୟୋଜିତ ହୋଇଥିବା ଏକ କଣ୍ଟେନର ରାସ୍ତାକଡ଼ରେ ଛିଡ଼ା ହୋଇଥିଲା। କାର୍‌ଟି ଦ୍ରୁତଗତିରେ ଆସି କଣ୍ଟେନର ପଛରେ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଉଷାରାଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ସମ୍ପର୍କୀୟ ବବିତା ସିଂ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ମୃତ ମହିଳାଙ୍କ କୋଳରେ ଥିବା ତାଙ୍କ ୫ବର୍ଷର ଝିଅ ସୁରକ୍ଷିତ ଅଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି।