ରାୟଗଡା: ରାୟଗଡା ଜିଲ୍ଲାରେ ରହିଥିବା ୧୭ଟି ଥାନା ଅଞ୍ଚରେ ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଦୁର୍ଘଟଣା ଘଟିବାରେ ଲାଗିଛି। ସେହିପରି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗତ ୨୦୨୧ରେ ୧୧୩ ଜଣଙ୍କର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ୨୦୨୨ରେ ମୃତ୍ୟୁ ସଂଖ୍ୟା ୧୩୩ରେ ପହଞ୍ଚିଥିଲା। ଚଳିତ ୨୦୨୩ ଜୁଲାଇ ୧୧ ତାରିଖ ସୁଦ୍ଧା ରାସ୍ତା ଦୁର୍ଘଟଣାରେ ୬୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ଜୀବନ ଚାଲି ଗଲାଣି। ପୁଲିସର ଘନ ଘନ ଚଢଉ ଏବଂ ଲୋକଙ୍କୁ ସଚେତନ କରାଉଥିଲେ ମଧ୍ୟ ଲୋକେ ତୁ ଯେତେ ମାଠିବୁ ମାଠ, ମୁଁ ସେହି ଦରପଡା କାଠ ସଦୃଶ୍ୟ, ହେଲମେଟ ନପିନ୍ଧିବା ଏବଂ କ୍ଷୀପ୍ର ଗତିରେ ଗାଡି ଚଲାଇବା ଦୁର୍ଘଟଣାର କାରଣ ହେଉଛି। ପୁଲିସ ରିପୋର୍ଟ ଅନୁଯାୟୀ ରାୟଗଡା ଥାନା ଅଞ୍ଚଳରେ ଜାନୁଆରୀରେ ୫ଟି ଦୁର୍ଘଟଣା ଘଟିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଫେବୃଆରୀରେ ୪ଟି ଦୁର୍ଘଟଣାରେ ୪ ମୃତ୍ୟୁ, ମାର୍ଚ୍ଚରେ ୩ଟି ଦୁର୍ଘଟଣାରେ ୨ ମୃତ୍ୟୁ, ଏପ୍ରିଲରେ ୮ଟି ଦୁର୍ଘଟଣାରୁ ୬ ମୃତ୍ୟୁ, ମେ ଓ ଜୁନ ମାସରେ ଗୋଟିଏ ଲେଖାଏଁ ଦୁର୍ଘଟଣାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।

Advertisment

ସେହିପରି ଶେଷଖାଲ ଥାନା ଅଞ୍ଚଳରେ ଜାନୁଆରୀରୁ ଜୁଲାଇ ପର୍ଯ୍ୟନ୍ତ ୬ଟି ଦୁର୍ଘଟଣା ଘଟିଥିବା ବେଳେ ଜଣକର ମୃତ୍ୟୁ ଘଟିଛି। ଚାନ୍ଦିଲି ଥାନା ଅଞ୍ଚଳରେ ୨୦ଟି ଦୁର୍ଘଟଣା ଘଟିଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି। କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଆଜି ସୁଦ୍ଧା ୩ଟି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଛି।କାଶୀପୁର ଥାନା ଅଞ୍ଚଳରେ ୬ଟି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଟିକିରିର ଥାନା ଅଞ୍ଚଳରେ ୫ଟି ଦୁର୍ଘଟଣାରେ ୪ ମୃତ। ଦୋରାଗୁଡା ଥାନା ଅଞ୍ଚଳରେ ୪ଟି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ବିଷମକଟକ ଥାନା ଅଞ୍ଚଳରେ ୯ଟି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୁନିଗୁଡା ଥାନା ଅଞ୍ଚଳରେ ୯ଟି ଦୁର୍ଘଟଣା ଘଟିଥିବା ବେଳେ ଜଣକର ମୃତ୍ୟୁ ହୋଇଛି। ଆମ୍ବାଦୋଳା ଥାନା ଅଞ୍ଚଳରେ ୮ଟି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି।ଗୁଣୁପୁର ଥାନା ଅଞ୍ଚଳରେ ୪ଟି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଗୁଡାରି ଥାନା ଅଞ୍ଚଳରେ ୪ଟି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ପଦ୍ମପୁର ଥାନା ଅଞ୍ଚଳରେ ୧୬ଟି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି।ରାମନାଗୁଡା ଥାନା ଅଞ୍ଚଳରେ ୯ଟି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି।

publive-image Sambad

ସେହିପରି ପୁଟାସିଂହ ଥାନା ଅଞ୍ଚଳରେ ଗୋଟିଏ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଛି। ଚନ୍ଦ୍ରପୁର ଥାନା ଅଞ୍ଚଳରେ ଚଳିତବର୍ଷ ଆଜି ସୁଦ୍ଧା ଗୋଟିଏ ବି ଦୁର୍ଘଟଣା ଘଟିନଥିବା ବେଳେ କାହାରି ମୃତ୍ୟୁ ହୋଇନଥିବା ଜଣାପଡିଛି। ଅଣ୍ଡିରାକାଞ୍ଚ ଥାନା ଅଞ୍ଚଳରେ ଗୋଟିଏ ଦୁର୍ଘଟଣା ଘଟିଥିବା ବେଳେ କାହାରି ମୃତ୍ୟୁ ହୋଇ ନାହିଁ। ତେବେ ଦେଖିବା ଜିଲ୍ଲାରେ ଚଳିତବର୍ଷ ଜାନୁଆରୀରେ ୩୪ଟି ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଫେବୃଆରୀରେ ୨୭ଟି ଦୁର୍ଘଟଣା ଘଟିଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ଘଟଛି। ମାର୍ଚ୍ଚରେ ୧୮ଟି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଏପ୍ରିଲ ମାସରେ ୧୮ଟି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ମେ ମାସରେ ୧୫ଟି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଜୁନ ମାସରେ ୧୦ଟି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଜୁଲାଇ ଆଜି ସୁଦ୍ଧା ୨ଟି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଛି। ତେବେ ରାୟଗଡା ଥାନା ଅଞ୍ଚଳରେ ସବୁଠାରୁ ବେଶୀ ଦୁର୍ଘଟଣା ଘଟୁଛି। ଚଳିତବର୍ଷ ଏବେ ସୁଦ୍ଧା ୨୨ଟି ଦୁର୍ଘଟଣାରେ ୧୭ ଜଣଙ୍କର ଜୀବନ ଚାଲି ଗଲାଣି। ସରକାର ଏବଂ ପ୍ରଶାସନ ଶୂନ୍ୟକାଳ ମୃତ୍ୟୁ ସପ୍ତାହରେ ଯେତିକି ଲୋକଙ୍କୁ ସଚେତନ କରାଇଥିଲେ ତାହା କିଛି କାମ ଦେଲା ନାହିଁ ବୋଲି ଆଲୋଚନା ଜୋର ଧରିଛି। ତେଣୁ ପୁଲିସର କଡା କାର୍ଯ୍ୟାନୁଷ୍ଠାନ ଆଗକୁ ଦୁର୍ଘଟଣାକୁ ରୋକ ଲଗାଇପାରିବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।