ସୁନ୍ଦରଗଡ଼: ବୁଧବାର ସନ୍ଧ୍ୟା ୬ଟାରେ କିରେଇ ବିଜୁ ଏକ୍ସପ୍ରେସ ୱେରେ ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ଗାଡ଼ିମଟର ଯାଞ୍ଚ କରୁଥିଲେ। ଠିକ୍ ଏହି ସମୟରେ ଟ୍ରାଫିକ ଇନିସ୍ପେକ୍ଟରଙ୍କ ଡ୍ରାଇଭର ଦୀପକ ଟପ୍ପୋଙ୍କୁ ଏକ ବଲେରୋ ଧକ୍କା ଦେଇ ଫେରାର ହେବାକୁ ଚେଷ୍ଟା କରିଥିଲା। ଟିମର କିଛି ସଦସ୍ୟ ତାକୁ ଗୋଡ଼ାଇ ଧରିଥିଲେ।
ଡ୍ରାଇଭର ଦୀପକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରାତିରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଯାଞ୍ଚ ସମୟରେ ବଲେରୋ ଚାଳକ ଦ୍ରୁତଗତିରେ ଚଲାଇ ଖସିଯାଉଥିବା ବେଳେ ଟ୍ରାଫିକ ଇନିସ୍ପେକ୍ଟରଙ୍କ ଡ୍ରାଇଭର ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏ ସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଏତଲାକ୍ରମେ ସଦରଥାନା ପୁଲିସ ଏକ ମାମଲା ରୁଜୁ କରି ବଲେରୋକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।