କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୦ ର ବାଇପାସ ରାସ୍ତା ସିଦ୍ଧମଠ ନିକଟରେ ବେଆଇନ ପାର୍କିଂ କରିଥିବା ଏକ ଟ୍ରକ ପଛରେ ଆଉ ଏକ ଧକ୍କା ଦେବାରୁ ଟ୍ରକର ହେଲପରଙ୍କ ମୃତ୍ୟୁ ଘଟିଛି। ମୃତ ହେଲପର ନାମ ନୁନୁଚାନ୍ଦ ମାହାତୋ (୧୯)। ତାଙ୍କ ଘର ଝାଡଖଣ୍ଡ ରାଜ୍ୟ ବୋକାରୋ ବୋଲି ଜଣାପଡିଛି । ଶୁକ୍ରବାର ଭୋର ପ୍ରାୟ ୪ ଟା ରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ଯାଇ କଟର ମେସିନରେ ଗାଡ଼ିରେ ଚାପି ହୋଇ ଯାଇଥିବା ହେଲପରଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଲୁହାପଥର ବୋଝେଇ ଟ୍ରକ(ଓଡି ୦୪ ଆର ୫୧୭୮) ରୁଙ୍ଗଟା ଖଣିରୁ ଗୋପାଳପୁର ବନ୍ଦର ଅଭିମୁଖେ ଯାଉଥିବାବେଳେ ଗାଡି ଚକା ଲିକ୍ ହେବାରୁ ବାଇପାସ ରାସ୍ତାରେ ଛିଡା ହୋଇଥିଲା। ଏହି ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ(ଓଡି ୨୩ ଏନ ୩୦୯୯) ଘଟଗାଁ ଅଭିମୁଖେ ଯାଉଥିବାବେଳେ ପଛପଟୁ ଧକ୍କା ଦେଇଥିଲା। ଟାଉନ ପୋଲିସ କେସ ନଂ ୨୫୦ ତା ୨୩/୦୬/୨୦୨୩ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Advertisment

ରାଜପଥ କଡରେ ବେଆଇନ ପାର୍କିଂ ଯୋଗୁଁ ଦୁର୍ଘଟଣା ବଢୁଛି । ବାଇପାସ ରାସ୍ତାରେ ଲୁହାପଥର ପରିବହନ କରୁଥିବା ଭାରୀଯାନ ଗୁଡିକ ନିୟମିତ ଛିଡ଼ା ହେଉଛନ୍ତି। ଏହି ବେଆଇନ ପାର୍କିଂ ଉପରେ ପୁଲିସ ଏବଂ ପରିବହନ ବିଭାଗ ପକ୍ଷରୁ ଲଗାମ ଲଗାଯାଉ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି। ଯୋଗାଯୋଗ ଏବଂ ଗମନାଗମନ ଦୃଷ୍ଟିରୁ ବାଇପାସ ରାସ୍ତାରେ ବହୁ ଗାଡ଼ି ଚଳାଚଳ କରୁଛି । ଦୈନିକ ହଜାର ହଜାର ସଂଖ୍ୟାରେ ଯାନବାହନ ସହିତ ଲୁହାପଥର ବୋଝେଇ ଟ୍ରକ ଚଳାଚଳ କରୁଛି । ଜାତୀୟ ରାଜପଥ ୪୯ ଏବଂ ୨୦ ର ବାଇପାସ ରାସ୍ତାରେ ବେଆଇନ ପାର୍କିଂ ଯୋଗୁଁ ଅନେକ ସମୟରେ ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି । ବାଇପାସ ରାସ୍ତାରେ ଗ୍ୟାରେଜ, ଢାବା, ଦୋକାନ ବଜାର ରହିଥିବାରୁ ରାସ୍ତା କଡ଼ରେ ବହୁ ଛୋଟ ବଡ଼ ଗାଡ଼ି ରଖାଯାଉଛି। ଏହି ଗାଡିଗୁଡିକ ଦିନ ରାତି ରାସ୍ତା କଡ଼ରେ ଅଟକି ରହୁଥିବାରୁ ଅନ୍ୟ ଗାଡ଼ି ଚାଳକ ଜାଣି ନ ପାରି ଛିଡ଼ା ହୋଇଥିବା ଗାଡ଼ି ପଛ ପଟକୁ ପିଟି ହୋଇ ଦୁର୍ଘଟଣା ଘଟୁଛି । ବେଆଇନ ପାର୍କିଂ ଯୋଗୁଁ ଟ୍ରାଫିକ ସମସ୍ୟା ଗୁରୁତର ହେଉଛି।