ଧଉଳି: ଧଉଳି ଥାନା ଅଧୀନ ଦୟାନଦୀ ବନ୍ଧ ରାସ୍ତା ଜୟପୁର ଛକ ନିକଟରେ ଏକ ଦ୍ରୁତଗାମୀ ହାଇୱା ଭାରସାମ୍ୟ ହରାଇ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣାରେ ପୁଲିସ ବେପରୱା ହାଇୱା ଚାଳକକୁ ଗିରଫ କରି ପଚରାଉଚରା କରୁଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

Advertisment

ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବୃଦ୍ଧ ବ୍ୟକ୍ତି ଜଣକ ହେଲେ ଲିଙ୍ଗରାଜ ଥାନା ଅଧୀନ କୁଞ୍ଜପାଟଣା ସାହିର ବ୍ରିଟିସ ବେହେରା (୭୦)। ଖବର ପାଇ ଧଉଳି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଡକାଇ ବ୍ରିଟିସଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ବ୍ରିଟିସଙ୍କ ମୃତ୍ୟୁ ସଂପର୍କରେ ଖବର ପାଇ ପରିବାର ଓ ସଂପର୍କୀୟ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଚୋରା ବାଲିଘାଟ ଯୋଗୁ ଦୁର୍ଘଟଣା ଘଟିଥିବା ଅଭିଯୋଗ କରି ସ୍ଥାନୀୟ ଲୋକ ହୋ-ହଲ୍ଲା କରିଥିଲେ।

ଶତାଧୀକ ଲୋକ ପହଞ୍ଚିବା ପରେ ଏନେଇ ରାସ୍ତା ଅବରୋଧ ଭଳି ପରିସ୍ଥିତି ଉପୁଜିଥିଲା। ପ୍ରସ୍ତାବିତ ନଦୀବନ୍ଧ ରାସ୍ତା ନବୀକରଣ ଏବଂ ପ୍ରଶସ୍ତିକରଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା, ଏକାଧିକ ଚୋରା ବାଲିଘାଟ ବନ୍ଦ କରିବା ଏବଂ ବ୍ରିଟିସଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ସହାୟତା ପ୍ରଦାନ କରିବା ନେଇ ଲୋକ ମାନେ ଦାବି ଉପସ୍ଥାପନ କରିଥିଲେ। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହାପରେ ପୁଲିସ ଦୁର୍ଘଟଣାଗ୍ରସ୍ତ ହାଇୱା ଓ ସାଇକେଲକୁ ଜବତ କରି ଥାନାକୁ ନେଇଥିଲେ। ସୂଚନା ମୁତାବକ ବ୍ରିଟିସ ଆଜି ଭୋର ସମୟରେ ସାଇକେଲରେ କୁଞ୍ଜପାଟଣା ସାହିରୁ ଦୟାନଦୀ ବନ୍ଧ ରାସ୍ତାରେ ନିକଟରେ ରହୁଥିବା ତାଙ୍କ ପୁଅଙ୍କ ପାଖକୁ ଯାଉଥିଲେ। ହେଲେ ପୁଅ ପାଖରେ ପହଞ୍ଚିବା ପୂର୍ବରୁ ବାଟରେ ଦୁର୍ଘଟଣାରେ ଶିକାର ହୋଇଥିଲେ।