ଦ୍ଵାରଶୁଣୀ ଘାଟିରେ ବାଇକ୍‌କୁ ଧକ୍କା ଦେଇ ୨୦୦ ଫୁଟ ତଳକୁ ଖସିଲା ଟ୍ରକ; ଜଣେ ମୃତ ଦୁଇ ଗୁରୁତର

ବାଙ୍ଗିରିପୋଷି: ମୟୁରଭଞ୍ଜ କଳାବାଡ଼ିଆ ଅନ୍ତର୍ଗତ ବାଙ୍ଗିରିପୋଷି ଥାନା ଦ୍ଵାରଶୁଣୀ ଘାଟି ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇ ୨୦୦ ଫୁଟ ତଳକୁ ଏକ ପିଆଜ ବୋଝେଇ ଟ୍ରକ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ ହୋଇଥିବା ବେଳେ ତିନି ଗୁରୁତର ଆହତ ହୋଇଛନ୍ତି। ମୃତ ବାଇକ୍‌ ଆରୋହୀଙ୍କ ନାମ ବିଶିକେଶନ ମାହାକୁଡ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଶୋଇରୁ ବାରିପଦା ଅଭିମୁଖେ ଏକ ବାଇକରେ ବିଶିକେଶନ ମାହାକୁଡ (୪୫) ଓ ତାଙ୍କ ଖୁଡ଼ି ସଂଧ୍ୟାରାଣୀ ଗିରି (୫୫)ଙ୍କୁ ନେଇ ଯାଉଥିଲେ। ଏହି ସମୟରେ ଦ୍ଵାରଶୁଣୀ ଘାଟିର ଦ୍ଵିତୀୟ ବାଙ୍କରେ ଏକ ପିଆଜ ବୋଝେଇ ଟ୍ରକ (ନମ୍ବର ଡବ୍ଲୁବି୨୩ଡି୭୨୧୭)ଟି ଭାରସାମ୍ୟ ହରାଇ ବିଶିକେଶନଙ୍କ ବାଇକ୍‌କୁ ପଛରୁ ଧକ୍କା ଦେଇ ଥିଲା। ଫଳରେ ବାଇକ ସହିତ ଆରୋହୀ ଘାଟୀ ତଳେ ପଡ଼ି ଯାଇଥିବା ବେଳେ ଟ୍ରକଟି ୨୦୦ ଫୁଟ ତଳକୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ସହିତ ତିନିଜଣ ଗୁରୁତର ହୋଇଛନ୍ତି।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ବାଙ୍ଗିରିପୋଷି ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନିଜଣ ଆହତଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ବାଇକ ଆରୋହୀ ବିଶିକେଶନ ମାହାକୁଡଙ୍କ ମୃତ୍ୟୁ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ଅନ୍ୟ ଦୁଇ ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୃର୍ମୁ ମେଡିକାଲକୁ ପଠାଇ ଦିଆଯାଇଛି।

ଟ୍ରକ ଟି ନାସିକ ରୁ କଲିକତା ପିଆଜ ନେଇ ଯାଉଥିବା ଜଣାପଡ଼ିଛି। ମୃତ ବିଶିକେଶନ ମାହାକୁଡ ବାରିପଦା ନେସ୍କୋ ବିଦ୍ୟୁତ ବିଭାଗରେ ଚାକିରୀ କରୁଥିବା ଜଣାପଡିଛି। ବାଙ୍ଗିରିପୋଷି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର