ଦୁର୍ଘଟଣା ଜୋନ୍‌ ଗୋଡ଼ଭଙ୍ଗା ଘାଟି, ବର୍ଷକରେ ଶତାଧିକ ଦୁର୍ଘଟଣା

ଆନନ୍ଦପୁର: କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ସୀମାରେ ରହିଥିବା ଗୋଡ଼ଭଙ୍ଗା ଘାଟି ଏବେ ଦୁର୍ଘଟଣା ଜୋନରେ ପରିଣତ ହୋଇଛି। ଏଠାରେ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଜିଲ୍ଲା ତଥା ରାଜ୍ୟ ବାହାରୁ ଆସୁଥିବା ଗାଡ଼ିଗୁଡିକ ଭାରସାମ୍ୟ ହରାଇ ଏହି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଗତ ଏକବର୍ଷ ମଧ୍ୟରେ ଏହି ସ୍ଥାନରେ ଶହେରୁ ଅଧିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

୫୩ନମ୍ବର ରାଜ୍ୟ ରାଜପଥ ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତାର ଏହି ଘାଟି ସମ୍ପର୍କରେ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ। ସୂଚନା ନଥିବାରୁ ଦିନକୁଦିନ ଦୁର୍ଘଟଣା ବଢି ଚାଲିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆନନ୍ଦପୁର ସୀମାନ୍ତ ମହୁଲଡ଼ିହା ଥାନା ଅନ୍ତର୍ଗତ ଗୋଡ଼ଭଙ୍ଗା ଘାଟିର ଲମ୍ବ ଏକ କିମିରୁ ଅଧିକ। ଘାଟିଟି ଅତ୍ୟନ୍ତ ତୀକ୍ଷ୍ଣ। ଘାଟିର ଏକ ବାଙ୍କରେ ରହିଛି। ନିକ‌ଟରେ ରହିଛି ମା’ଭଣ୍ଡାରଶୁଣି ବନଦୁର୍ଗାଙ୍କ ମନ୍ଦିର। ଏହି ଠାକୁରାଣୀଙ୍କ ନିକଟରେ ପ୍ରତିଦିନ ମାନସିକଧାରୀଙ୍କ ସମାଗମ ହୋଇଥାଏ।

ଘାଟି ମଝିରେ ଅନେକ ସମୟରେ ଛୋଟ ଗାଡ଼ିଗୁଡିକ ଅଟକି ରହୁଥିବାରୁ ହଠାତ୍ ସେଥିପାଇଁ ଉପରୁ ଆସୁଥିବା ଟ୍ରକଗୁଡିକ ଦୁର୍ଘଟଣାର ଶିକାର ହୋଇଥାନ୍ତି। ଏହି ସ୍ଥାନରେ ବାଙ୍କ ରହିଥିବାରୁ ଘାଟିରୁ ଖସୁଥିବା ମାଲବାହି ଗାଡିଗୁଡିକର ବ୍ରେକ ଉପରୁ ନିୟନ୍ତ୍ରଣ ହରାଉଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ଗତକାଲି ଦିନ ୧୨ଟାବ‌େଳେ ବିହାରରୁ କୁକୁଡ଼ା ଖାଦ୍ୟନେଇ ଆସୁଥିବା ଏକ ୧୬ଚକିଆ ଟ୍ରକ ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡ଼ିଥିବାବେଳେ ଏହାର ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେହିପରି ଗତକାଲି ସଂଧ୍ୟା ୬ଟାରେ ମଧ୍ୟ କରଞ୍ଜିଆରୁ ଆନ୍ଧ୍ର ଯାଉଥିବା ଏକ କରଞ୍ଜ ମଞ୍ଜି ‌ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଅନେକ ସମୟରେ ଦୁର୍ଘଟଣା ଘଟି ରାସ୍ତା ଘଣ୍ଟାଘଣ୍ଟା ଧରି ବନ୍ଦ ହୋଇ ଯାଉଥିବାରୁ ଯାତାୟାତରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।

ରାତି ସମୟରେ ଦୁର୍ଘଟଣା ଘଟିଲେ ଅନେକ ସମୟରେ ଡ୍ରାଇଭର ହେଲପର ଘଣ୍ଟାଘଣ୍ଟା ଧରି ଗାଡି ମଧ୍ୟରେ ଫସି ରହିବାର ମଧ୍ୟ ନଜିର ରହିଛି। ଆନନ୍ଦପୁରରୁ ଅଗ୍ନିଶମବାହିନୀ, ଆମ୍ବୁଲାନ୍ସ ଯାଇ ଆହତମାନଙ୍କୁ ଉଦ୍ଧାର କରିଥାଏ। ରାସ୍ତା ଓ ଗୃହ ବିଭାଗ ଅଧୀନରେ ରହିଥିବା ଏହି ଗୋଡ଼ଭଙ୍ଗା ଘାଟି ଅତ୍ୟନ୍ତ ଦୁର୍ଘଟଣାପ୍ରବଣ ଅଞ୍ଚଳ ହୋଇଥିବାବେଳେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। କେବଳ ଦୁଇଟି ସ୍ଥାନରେ ହମ୍ପସ୍ କରାଯାଇଥିବାହବେଳେ ଘାଟି ସମ୍ପର୍କରେ ‌କୌଣସି ଆଖିଦୃଶିଆ ସୂଚନା ଦିଆଯାଇ ନଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଥିବାନେଇ ଗୋଡ଼ଭଙ୍ଗାର ସମାଜସେବୀ ରବୀନ୍ଦ୍ର ନାଥ ହୋ ପ୍ରକାଶ କରିଛନ୍ତି। ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ଏଠାରେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର