ଘଟଗାଁ: ଆଜି ଅପରାହ୍ଣରେ ଘଟଗାଁ ନିକଟ ଗୁଣ୍ଡିଚାଘାଗି ଜଳପ୍ରପାତ ଉପରେ ଥିବା ଝୁଲାପୋଲରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ମୃତ ଯୁବକଙ୍କ ନାମ ସୁରେନ୍ଦ୍ର ଦଳେଇ ଓରଫ ପୁଟୁ। ତାଙ୍କ ଘର ଘଟଗାଁ ଗ୍ରାମରେ। ଦୁଇଜଣ ସାଙ୍ଗଙ୍କ ସହିତ ପୁଟୁ ଆଜି ଗୁଣ୍ଡିଚାଘାଗି ଜଳପ୍ରପାତକୁ ମୋଟର ସାଇକଲରେ ବୁଲିବାକୁ ଯାଇଥିଲେ।

Advertisment

ସେଠାରେ ଥିବା ଝୁଲାପୋଲରେ ପାର ହେଉଥିବା ବେଳେ ମଟର ସାଇକଲଟି ଭାରସାମ୍ୟ ହରାଇ ଛିଟିକି ପଡ଼ିଥିଲେ। ଫଳରେ ପୁଟୁଙ୍କ ବେକ ଓ ମୁଣ୍ଡ ଝୁଲାପୋଲ ବାଡ଼ାରେ ପିଟି ହୋଇଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଘଟଗାଁ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ଅନ୍ୟ ଦୁଇସାଙ୍ଗ ସୁସ୍ଥ ଥିବା ଜଣାଯାଇଛି।