ମୋଟରସାଇକେଲ ବଳଦ ମୁହାଁମୁହିଁ ଧକ୍କା: ବଳଦ ଓ ଯୁବକ ମୃତ

 

କଣ୍ଟାବାଞ୍ଜି: ବଳଦ ସହ ବାଇକ ଆରୋହୀଙ୍କର ହେଲା ମୁହାଁମୁହିଁ ଧକ୍କା | ଆଉ ଏହି ଦୁର୍ଘଟଣାରେ ଚାଲିଗଲା ଉଭୟଙ୍କର ଜୀବନ | ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ସହରର ଜଣେ ଯୁବ ବ୍ୟବସାୟୀ ସୌରଭ ଖଣ୍ଡେଲବାଲ (୪୦) କଣ୍ଟାବାଞ୍ଜିରୁ ବେଲପଡା ପାଖରେ ଥିବା ନୂନହାଡ଼ ଢ଼ାବାକୁ ରାତି ୧୦ଟା ୪୦ରେ ଖାଇବାକୁ ଯାଇଥିଲେ ।

ଠିକ ସେହି ସମୟରେ ନୂନହାଡ଼ ଗାଁରେ ରାସ୍ତା ଉପରେ ଥିବା ଏକ ବଳଦ ସହିତ ତାଙ୍କ ବାଇକ ଧକ୍କା ହୋଇଥିଲା । ବାଇକଟି ଏତେ ଦ୍ରୁତ ଗତିରେ ଥିଲା ଯେ ଯୁବ ବ୍ୟବସାୟୀ ଜଣକ ରାସ୍ତା ଉପରକୁ ଛିଟିକି ପଡିଥିବାବେଳେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା ।

ବାଇକଟି ଧକ୍କା ଦେଇଥିବା ବଳଦର ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ଯୁବ ବ୍ୟବସାୟୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି |

ସମ୍ବନ୍ଧିତ ଖବର