ରାସ୍ତାରେ ଗାଡ଼ି ଅଟକାଇ ପାଣି ଆଣିବାକୁ ଯାଉଥିବା ସମୟରେ ପରିବାରଲୋକଙ୍କ ସାମ୍ନାରେ ଚଢ଼ିଗଲା ଟ୍ରକ୍‌, ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର  ସହର ମଧ୍ୟ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଟାଉନ୍‌ଥାନା ଅଧୀନସ୍ଥ ମୋଚିବନ୍ଧ ସ୍କୁଲ ଆଗରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ନାମ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ି ନଥିଲା।

ସୂଚନାଯୋଗ୍ୟ, ସେ ତାଙ୍କ ପରିବାର ସହ ଅନୁଗୁଳ ଜିଲ୍ଲା ପାଲଲହଡାରୁ ଆସୁଥିଲେ। ଏହି ସମୟରେ ମୋଚିବନ୍ଧ ସ୍କୁଲ ଆଗରେ ଗାଡ଼ିକୁ ଅଟକାଇ ପାଣି ଆଣିବାକୁ ଯାଉଥିଲେ। ପାଣି ଆଣିବାକୁ ରାସ୍ତାର ଆରପାର୍ଶ୍ୱକୁ ଯାଉଥିବା ସମୟରେ ପରିବାରଲୋକଙ୍କ ସାମ୍ନାରେ ଏକ ଦ୍ରୁତଗତିରେ ଆସୁଥିବା ଟ୍ରକ୍‌ ତାଙ୍କ ଉପରେ ଚଢ଼ି ଚାଲି ଯାଇଥିଲା। ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତଲୋକ ସ୍ତବ୍ଧ ହୋଇ ରହି ଯାଇଥିଲେ। ପରିବାରଲୋକ ଆତ୍ମୀୟକୁ ଆଖି ଆଗରେ ହରାଇ ଭୋଭୋ ହୋଇ କାନ୍ଦି ଉଠିଥିଲେ।

ତେବେ ଏହି ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରି ରଖିଥିଲେ। ଫଳରେ ଉଭୟରେ ପାର୍ଶ୍ୱରେ ଗାଡ଼ି ଅନେକ ସମୟରେ ଧରି ଛିଡା ହୋଇଥିଲା। ଯାତାୟାତରେ ଅସୁବିଧା ପରିଲକ୍ଷିତ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ନେଇଥିଲା।

ସମ୍ବନ୍ଧିତ ଖବର