ଖୋର୍ଦ୍ଧାରେ ମୋଟରଯାନ ଦୁର୍ଘଟଣା: ନିୟନ୍ତ୍ରଣ ହୋଇପାରୁନି ଟ୍ରାଫିକ୍, ଚିହ୍ନଟ ହୋଇପାରୁନି ବ୍ଲାକସ୍ପଟ୍

ଖୋର୍ଦ୍ଧା: ରାଜ୍ୟରେ ସର୍ବାଧିକ ମୋଟରଯାନ ଦୁର୍ଘଟଣା ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଆଗେରେ ରହିଛି । ନିୟମିତ ଭାବେ ଦେଶର ଉଚ୍ଚତମ ନ୍ୟାୟାଳୟ ଏନେଇ ଚିନ୍ତା ପ୍ରକଟ କରିବା ସହ ବ୍ଲାକସ୍ପଟ୍ ଚିହ୍ନଟ, ସୂଚନା ଫଳକ, ରାସ୍ତାରେ ଜେବ୍ରାକ୍ରସିଂ ଆଦି ଚିହ୍ନ ଆଦି ନିଶ୍ଚିତ କରିବାକୁ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ଖୋର୍ଦ୍ଧାରେ ଏହା ପାଳନ ହୋଇପାରୁନାହିଁ ।

ରାଜ୍ୟରେ ବଢ଼ୁଥିବା ମୋଟରଯାନ ଦୁର୍ଘଟଣା ନିମନ୍ତେ ଚଳିତମାସ ୮ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ବୈଠକରୁ ମିଳିଥିବା ସୂଚନାରେ, ରାଜ୍ୟରେ ୨୦୧୯ ତୁଳନାରେ ୨୦୨୦ରେ ଦୁର୍ଘଟଣା ୧୧.୨୭ ପ୍ରତିଶତ ହ୍ରାସ ପାଇଥିବା ବେଳେ ଦୁର୍ଘଟଣାଜନିତ ମୃତାହତ ସଂଖ୍ୟା ୧୧.୧୫ ପ୍ରତିଶତ ହ୍ରାସ ପାଇଥିଲା । ତେବେ କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ଲକ୍ଡାଉନ୍ କୋହଳ ହେବା ପରେ ପୁଣି ଦୁର୍ଘଟଣାର ମାତ୍ରା ବୃଦ୍ଧି ପାଇଥିଲା । ସେପ୍ଟମ୍ବରରୁ ଡିସେମ୍ବର ୨୦୨୦ ମଧ୍ୟରେ ରାଜ୍ୟରେ ଏହା ୨୬.୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଖୋର୍ଦ୍ଧାରେ ଏହି ୩ ମାସ ମଧ୍ୟରେ ୧୦୦ରୁ ଅଧିକ ଦୁର୍ଘଟଣା ଘଟିଛି ।

ଖୋର୍ଦ୍ଧା ଜିଲ୍ଲା ଦେଇ ଜାତୀୟ ରାଜପଥ ୧୬ ଓ ୨୫୭ ଦେଇଯାଇଛି । ଏହି ରାସ୍ତା ଦେଇ ଦୈନିକ ୫ହଜାରରୁ ଅଧିକ ଭାରୀଯାନ ଓ ବସ୍ ଚଳାଚଳ କରିଥାନ୍ତି । ଏହା ବ୍ୟତୀତ ଏହି ଦୁଇ ଜାତୀୟ ରାଜପଥ କଡ଼ରେ ହିଁ ସର୍ବାଧିକ ଜନବସତି ରହିଛି । ଏହି ଦୃଷ୍ଟିରୁ ଖୋର୍ଦ୍ଧା ଜିଲ୍ଲା ମୋଟରଯାନ ଦୁର୍ଘଟଣା ଦୃଷ୍ଟିରୁ ଏକ ସମ୍ବେଦନଶୀଳ ଅଂଚଳ ହୋଇରହିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାରେ, ୨୦୨୦ରେ ଜିଲ୍ଲାରେ ବଡ଼ ଧରଣର ୨୨୬ଟି ମୋଟର ଯାନ ଦୁର୍ଘଟଣା, ୨୦୧୯ରେ ୨୭୫ଟି, ୨୦୧୮ରେ ୨୭୨ଟି ମୋଟରଯାନ ଦୁର୍ଘଟଣା ଘଟିଛି । ୨୦୧୯ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ୯୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୨୦ରେ ଏହା ବୃଦ୍ଧି ପାଇ ୧୦୮ରେ ପହଂଚିଛି । ଅର୍ଥାତ୍ ଗୋଟିଏ ବର୍ଷ ମଧ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାରେ ୧୨.୫ ପ୍ରତିଶତ ବୃଦ୍ଧି ଘଟିଛି । ଯଦି ୨୦୨୦ ବର୍ଷ ସହ ଚଳିତ ବର୍ଷର ଜାନୁଆରୀ ଓ ଫେବ୍ରୁଆରୀ ମାସକୁ ହିସାବ ନିଆଯାଏ ତେବେ ଖୋର୍ଦ୍ଧା ଗ୍ରାମାଂଚଳ ପୁଲିସ ଇଲାକାରେ କେବଳ ୬୦୦ରୁ ଅଧିକ ଛୋଟବଡ଼ ଦୁର୍ଘଟଣା ଘଟିଛି ଓ ଏଥିରେ ୧୨୫ଜଣଙ୍କ ଜୀବନ ଯାଇଛି ।

ଜିଲ୍ଲାରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ପାଇଁ ଆସନ୍ତା ୧୫ ଦିନ ମଧ୍ୟରେ ଏକ ବିସ୍ତୃତ ରଣନୀତି ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି । ନିକଟରେ ବାଲୁଗାଁ ଉପଖଣ୍ଡ ପୁଲିସ ପକ୍ଷରୁ ରାଜପଥରେ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଥିଲା । ଏଭଳି ନମ୍ବର ଜାରି କରିବା ସହ ସକାଳ ୬ଟାରୁ ରାତି ୧୦ ଟା ମଧ୍ୟରେ ଜାତୀୟ ରାଜପଥରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହା ସହ ବିନା ହେଲ୍ମେଟ୍, ନିଶାଶକ୍ତ ଗାଡ଼ି ଚଳାଇବା ଆଦି ନିୟନ୍ତ୍ରଣ କରିବାକୁ କୁହାଯାଇଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପିତାପଲ୍ଲୀ ଠାରୁ ବାଲୁଗାଁ ମଧ୍ୟରେ ଜାତୀୟ ରାଜପଥ ଓ ଖୋର୍ଦ୍ଧା ଠାରୁ ବୋଲଗଡ଼ ମଧ୍ୟରେ ୨୫୭ ଜାତୀୟ ରାଜପଥର ବ୍ଲାକସ୍ପଟ୍ (ଦୁର୍ଘଟଣାପ୍ରବଣ) ସ୍ଥାନ ଚିହ୍ନଟ କରି ସୂଚନାଫଳକ ଓ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା କରିବାକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ବାରମ୍ବାର ତାଗିଦ୍ ସତ୍ୱେ ଜିଲ୍ଲାରେ ଏଯାଏଁ ଏନେଇ କୌଣସି ଦପକ୍ଷେପ ନିଆଯାଇନାହିଁ । ତେବେ ଜିଲ୍ଲା ସହକାରୀ ସଡ଼କ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ରାମେଶ୍ୱର ଠାରୁ ଯାଜପୁର ଛତିଆ ମଧ୍ୟରେ ସିସିଟିଭି ଲଗାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏହା ସହ ବ୍ଲାକସ୍ପଟ୍ ଚିହ୍ନଟ କରି ରିପୋର୍ଟ ଦେବାକୁ ରାଜ୍ୟ ସରକାର ୧୫ ଦିନ ସମୟ ଦେଇଛନ୍ତି । ଅନେକ ସ୍ଥାନରେ ବ୍ଲାକ୍ ସ୍ପଟ୍ ଚିହ୍ନଟ ହୋଇଛି, କିନ୍ତୁ ଜବରଦଖଲ, ଜାତୀୟ ରାଜପଥର ପ୍ରଶସ୍ତୀକରଣ ଯୋଗୁଁ ଆବଶ୍ୟକ ପଦକ୍ଷେପ ନିଆଯାଇପାରୁନାହିଁ ।

ସମ୍ବନ୍ଧିତ ଖବର