ଲାଫାର୍ଜ ସିମେଣ୍ଟ ଗୋଦାମରେ ଅଘଟଣ, ୪ ଶ୍ରମିକ ଗୁରୁତର

ବାଲେଶ୍ୱର/ରୂପସା : ବାଲେଶ୍ୱର ଜିଲ୍ଲା ରୂପସା ଅଂଚଳରେ ଥିବା ଏକ ସିମେଣ୍ଟ ଗୋଦାମରେ ଶୁକ୍ରବାର ପୂର୍ବାହ୍ନରେ ଅଭାବନୀୟ ଘଟଣା ଘଟିଛି। କାମ କରୁଥିବା ସମୟରେ ଥାକହୋଇ ରହିଥିବା ସିମେଣ୍ଟ ବସ୍ତାଗୁଡ଼ିକ ହଠାତ ଧସିଯାଇଥିଲା। ଫଳରେ ୪ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ରୂପସା ଏବଂ ପରେ ଜିଲ୍ଲା ବଡ଼ ଡାକ୍ତରଖାନା ଅଣାଯାଇ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ ଗୁରୁତର ଶ୍ରମିକମାନେ ହେଲେ ସ୍ଥାନୀୟ ଆଗମୌଦା ଗ୍ରାମର କାର୍ତ୍ତିକ ଚନ୍ଦ୍ର ବାରିକ(୩୫), ତାରପୁର ଗ୍ରାମର ରମେଶ ସେନାପତି(୩୧), ଧନ୍ଦାଡ଼ି ଗ୍ରାମର କାର୍ତ୍ତିକ ଚନ୍ଦ୍ର ଦଳାଇ(୩୨) ଓ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଦୁର୍ଗାପୁର ଗ୍ରାମର ଚାଡ଼ରୁ ସିଂ(୪୦)। ସେମାନଙ୍କ ଆଭିଯୋଗ ମୁତାବକ ରୂପସା ଠାରେ ଥିବା ଲାଫାର୍ଜ ସିମେଣ୍ଟର ଏକ ଗୋଦାମରେ ସମସ୍ତେ ଦିନ ମଜୁରିଆ ଭାବେ କାମ କରନ୍ତି। ଆଜି ସକାଳେ ପାଖାପାଖି ୩୫ରୁ ୪୦ ଜଣ ଶ୍ରମିକ ସେମାନଙ୍କ ସହ ଉକ୍ତ ଗୋଦାମରେ କାମ କରୁଥିଲେ। ତେବେ ୨ କାର୍ତ୍ତିକ, ରମେଶ ଏବଂ ଚାଡ଼ରୁ ସେଠାରେ ଥାକ ହୋଇରହିଥିବା ସିମେଣ୍ଟ ବସ୍ତାଗୁଡ଼ିକୁ ତଳକୁ ଓହ୍ଲାଇବା ପାଇଁ ଚଢ଼ିଥିବା ସମୟରେ ତାହା ହଠାତ ଧସି ଯାଇଥିଲା। ଫଳରେ ୪ଜଣ ଯାକ ମୁହଁ ସେହି ସିମେଣ୍ଟ ବସ୍ତାଗୁଡ଼ିକ ଭିତରେ ଫସି ଯାଇଥିଲେ। ଅନ୍ୟ ଶ୍ରମିକମାନେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ। ସମସ୍ତଙ୍କର ମୁହଁ ଫାଟି ଯାଇଥିବା ବେଳେ ଗୋଡ଼ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଛି। ସମସ୍ତେ ଜିଲ୍ଲା ବଡ଼ ଡାକ୍ତରଖାନାର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି ହୋଇଛନ୍ତି। ଏନେଇ ସିମେଣ୍ଟ କମ୍ପାନୀ କର୍ତ୍ତୃପକ୍ଷ କିମ୍ବା ଗୋଦାମ ଦାୟିତ୍ୱରେ ଥିବା କୌଣସି ଅଧିକାରୀଙ୍କ ଠାରୁ କିଛି ସୂଚନା ମିଳିପାରିନାହିଁ। ଦୁର୍ଘଟଣାର ଶିକାର ହୋଇଥିବା ଶ୍ରମିକଙ୍କ ପରିବାର ପକ୍ଷରୁ ଏନେଇ କ୍ଷତିପୂରଣ ଏବଂ ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର