ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ କଉଡିଖଣି ଛକ ପୁଣି ମରଣଯନ୍ତା ସାବ୍ୟସ୍ତ ହୋଇଛି। ନିର୍ମାଣାଧୀନ ତଥା ସମ୍ପ୍ରସାରିତ ହେଉଥିବା ୧୬ ନଂ ଜାତୀୟ ରାଜପଥ କଉଡିଖଣି ଛକ ଅନତି ଦୂରରେ ଟ୍ରକ୍ ଚାପାରେ ବାଇକ ଆରୋହୀ ଗୁରୁତର ଓ ସହଯାତ୍ରୀ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ପୁଲିସ ଅଧିକାରୀ ଚନ୍ଦ୍ର ଶେଖର ଜେନା ସଦଳବଳ ପହଞ୍ଚି ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଥିବା ବାଇକ୍ ଆରୋହୀ ଯୁବକ ଓ ତାଙ୍କ ସହଯାତ୍ରୀଙ୍କୁ ଉଦ୍ଧାର କରି ଟାଙ୍ଗୀ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଖବରରୁ ପ୍ରକାଶ, ଆଜି ଗୁରୁବାର ସନ୍ଧ୍ୟା ୬ ଟାରେ ପୋଲସରା( ଗଞ୍ଜାମ ଜିଲ୍ଲା)ରୁ ଭୁବନେଶ୍ଵର ଅଭିମୁଖେ ଉକ୍ତ ବାଇକ୍ ଆରୋହୀ ଯୁବକ( ବୟସ ୩୨ /୩୬ ବର୍ଷ ପାଖାପାଖି) ନିଜର ଜଣେ ସହଯାତ୍ରୀଙ୍କ ସହିତ ହିରୋହଣ୍ଡା ବାଇକ୍ ( ନଂ -ଓ ଡି ୦୭ ଇ ୩୬୦୮) ରେ ସ୍ଥାନୀୟ ୧୬ ନଂ ଜାତୀୟ ରାଜପଥ କଉଡିଖଣି ଛକ ଅତିକ୍ରମ କରୁଥିଲେ। ପଛରେ ବ୍ରହ୍ମପୁରରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ଏକ କଣ୍ଟେନର ( ନଂ- ଓ ଡି ୧୪ କ୍ୟୁ ୧୦୪୯) ଉକ୍ତ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା।
Advertisment
ଫଳରେ ବାଇକ୍ ଆରୋହୀ ନିଜ ବାଇକ୍ ସହ ଉକ୍ତ ଗାଡ଼ି ଚକା ତଳେ ଚାପି ହୋଇ ଗୁରୁତର ହୋଇଥିଲେ। ଗୁରୁତର ଆହତ ଯୁବକଙ୍କ ଶୋଚନୀୟ ଅବସ୍ଥା ରହିଥିବାରୁ ସାଧାରଣରେ ଅସନ୍ତୋଷ ଓ ଉତ୍ତେଜନା ଦେଖାଦେଇଛି। ଗୁରୁତର ଯୁବକଙ୍କ ଚିକିତ୍ସା ଓ କ୍ଷତିପୂରଣ ତଥା ଦୀର୍ଘ ବର୍ଷରୁ କଉଡିଖଣି ଛକ ରେ ପ୍ରସ୍ତାବିତ ଓଭରବ୍ରିଜ ନିର୍ମାଣ ଦାବିରେ ନିକଟସ୍ଥ ବଡପଦର ଗ୍ରାମବାସୀଙ୍କ ସମେତ ବହୁ ସଂଖ୍ୟାରେ ସମ୍ମିଳିତ ଆଖପାଖ ଜନସାଧାରଣଙ୍କ ପକ୍ଷରୁ ୧୬ ନଂ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଉତ୍ୟକ୍ତ ଜନତାଙ୍କ ପକ୍ଷରୁ ଘଟଣା ସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ ଆସି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଯାଆନ୍ତୁ ବୋଲି ଅଡ଼ି ବସିଥିବାରୁ ରାସ୍ତା ଅବରୋଧ ଆନ୍ଦୋଳନ ଖବର ଲେଖା ସୁଦ୍ଧା ( ରାତି ୭.୩୦ )ଜାରି ରହିଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ୍ କରି ନାଚୁଣୀ ଥାନା ପୁଲିସ ଘଟଣାସ୍ଥଳରେ ସଦଳବଳ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛି।