ବାଇକ୍‌ ଚାଳକଙ୍କୁ ଧକ୍କା ଦେବା ପରେ ଘୋଷାଡ଼ି ନେଇ ଆଉ ଏକ ଲୁହାପଥର ବୋଝେଇ ଟ୍ରକ୍‌ ସହ ଧକ୍କା ଖାଇଲା ହାଇଓ୍ଵା

ରାଉରକେଲା : ସୁନ୍ଦରଗଡ କୋଇଡା ଥାନା ଅନ୍ତର୍ଗତ ରାଇକଳା ଘାଟିଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାମ ମାରା ମୁଣ୍ଡା (୨୫) ଓ ଗୁରୁତର ଆହତଙ୍କ ନାମ ଏ ଏନ୍‌ ଆନ୍‌ସାରୀ (୫୦) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ଗୁରୁବାର ସକାଳେ  ମାରା ମୁଣ୍ଡା ନିଜ ସିଡ଼ି ଡିଲକ୍ସ ମୋଟର ବାଇକ ଯୋଗେ ନିଜ ଗ୍ରାମ ନୂଆତନ୍ତରାରୁ କୋଇଡା ବ୍ଲକ କାର୍ଯ୍ୟଳୟକୁ ଯାଉଥିଲେ। ବାଟରେ ଅନ୍ୟ ଜଣଙ୍କୁ ଲିଫ୍‌ଟ ଦେଇ ଆସୁଥିବା ବେଳେ ସମାନ ଦିଗରୁ ଏକ ଚିପ୍ସ ବୋଝେଇ ୧୨ ଚକିଆ ହାଇୱା ଗାଡି ନଂ ଓଡ଼ି୧୪ଏମ୨୭୩୫ ପଛରୁ ଧକ୍କା ଦେଇଥିଲା। ଫଳରେ ବାଇକରେ ବସିଥିବା ଦୁଇ ଯୁବକ ତଳେ ପଡ଼ି ଯାଇଥିଲେ। ହାଇଓ୍ଵାଟି ବାଇକ ସହ ଚାଳକଙ୍କୁ ପାଖାପାଖି ଦୁଇଶହ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇ ଅନ୍ୟ ଏକ ଲୁହାପଥର ବୋଝେଇ ଗାଡି ସହିତ ଧକ୍କା ଖାଇ ଅଟକି ଯାଇଥିଲା।

ମୋଟର ବାଇକ ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା। ଦୁର୍ଘଟଣା ଘଟାଇଥିବା ହାଇୱାର ମଦ୍ୟପ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତଦେହଟି ହାଇଓ୍ଵା ଚାପରେ ଖଣ୍ଡବିଖଣ୍ଡ ହୋଇଯାଇଥିବାରୁ ପୁଲିସକୁ ଶବ ଚିହ୍ନଟ କରିବାରେ ଅସୁବିଧା ହୋଇଥିଲା। ମୋଟର ବାଇକରୁ ମିଳିଥିବା କିଛି କାଗଜ ପତ୍ରରୁ ଶବର ଚିହ୍ନଟ କରାଯାଇଥିଲା। ପୁଲିସ ଶବ ଜବତ କରିବା ସହ ହାଇୱା ଏବଂ ମୋଟର ବାଇକକୁ ଜବତ କରି ତଦନ୍ତ ଚଳାଇଛି। ଏହି ଦୁର୍ଘଟଣାରେ ଗୁରୁତର ଟେନସା ସେଲଙ୍କୁ ମେଡିକାଲରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି ।

ସମ୍ବନ୍ଧିତ ଖବର