ସୁନ୍ଦରଗଡ଼: ଶ୍ରାବଣ ମାସର ଶେଷ ସୋମବାର ଜଳଲାଗି କରି ଫେରୁଥିବା ସମୟରେ ଦୁର୍ଘଟଣା, ୧୫ଜଣ ଭକ୍ତ ଗୁରୁତର

ସୁନ୍ଦରଗଡ଼: ଆଜି ଶ୍ରାବଣମାସର ଶେଷ ସୋମବାର ହେତୁ ସୁନ୍ଦରଗଡ଼ କୁତ୍ରାସ୍ଥିତ ଘୋଘୋର ଶୈବପୀଠକୁ ପାଣି ଢ଼ାଳିବା ପାଇଁ ସକାଳୁ ଭକ୍ତ ଓ କାଉଡିଆଙ୍କ ପ୍ରବଳ ଭିଡ ଲାଗିଥିଲା। ଘୋଘୋରରେ ମହାପ୍ରଭୁ ଶିବଙ୍କ ଉପରେ ପାଣି ଢ଼ାଳି ପୂଜା ଶେଷ କରିବା ପରେ ଏକ ଅଟୋରେ ୧୦ରୁ ୧୫ଜଣ ଭକ୍ତ ଘରକୁ ଫେରୁଥିଲେ। ଏହି ସମୟରେ ଗମଡ଼ା ନିକଟରେ ତାଙ୍କ ଅଟୋ ପଛ ପଟୁ  ଦ୍ରୁତଗତିରେ ଆସୁଥିବା ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଅଟୋ ଚାଳକ ଭାରସାମ୍ୟ ରକ୍ଷା କରି ପାରି ନଥିଲେ ଓ ଓଲଟି ପଡ଼ିଥିଲା। ଏହି ଅଟୋରେ ବସିଥିବା ୧୬ଜଣ ଯାତ୍ରୀ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ଆହତଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ରାଜଗାଙ୍ଗପୁର ହସ୍‌ପିଟାଲରେ  ଚିକିତ୍ସା ପାଇଁ ଭର୍ତ୍ତି କରିବା ସହିତ ଏହି ଦୁର୍ଘଟଣା ବିଷୟରେ ପୁଲିସକୁ ଖବର ଦେଇଥିଲେ। ଦୁର୍ଘଟଣା ଘଟଣାଇଥିବା ଟ୍ରକ୍‌କୁ ପୁଲିସ କୁତ୍ରାରୁ ଜବତ କରିବା ସହିତ ଚାଳକକୁ ବି ଗିରଫ କରିଛି।

ସମ୍ବନ୍ଧିତ ଖବର