କାଳିଆପାଣି: ଯାଜପୁର ଜିଲ୍ଲା ଟାଟାଷ୍ଟିଲ୍ ମାଇନିଂ ସୁକିନ୍ଦା କ୍ରୋମାଇଟ୍ ଖଣିରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତକ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ପଥରକଟା ଗାଁର ବାସୁଦେବ ମହାନ୍ତ(୨୬)। ଅଚଳ ଥିବା ତାଙ୍କ ୬ ଚକିଆ ଟ୍ରକ୍(ଓଆର୍-୧୯ବି-୪୧୨୫)କୁ ଅନ୍ୟ ଏକ ୧୨ ଚକିଆ ଟ୍ରକ୍ ଦ୍ବାରା ପଛରୁ ଠେଲି ଷ୍ଟାର୍ଟ ଉଦ୍ୟମ ସମୟରେ ଟ୍ରକ୍ ତାଙ୍କ ଉପରେ ମାଡ଼ି ଯାଇଥିଲା। ତୁରନ୍ତ କମ୍ପାନିର ଡାକ୍ତରଖାନାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇ କଳିଙ୍ଗନଗର ଟାଟାଷ୍ଟିଲ୍ ମେଡିକା ହସ୍ପିଟାଲ ନିଆଯାଇଥିଲା।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏସଂକ୍ରାନ୍ତରେ କମ୍ପାନି ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଥିଲା। କାଳିଆପାଣି ଥାନାର ଏସ୍ଆଇ ସୁଦାମ ଚରଣ ନନ୍ଦୀ ସଦଳବଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ସୂଚନା ଯୋଗ୍ୟ ଯେ, ଭୁକ୍ତା ଟ୍ରାନ୍ସପୋର୍ଟର ମାର୍ଫତରେ କ୍ରୋମାଇଟ୍ ବୋଝେଇ ପାଇଁ ଆସିଥିବା ବାସୁଦେବ ଗତ ୨୯ ତାରିଖ ଅପରାହ୍ଣରେ ଖଣିରେ ପ୍ରବେଶ କରିଥିଲେ। ଷ୍ଟକୟାର୍ଡରୁ କ୍ରୋମ୍ ବୋଝେଇ ପରେ ଟ୍ରକରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ସେ ମେକାନିକ୍ ଡାକିବାକୁ ଯାଇଥିଲେ। ଆଜି ତାଙ୍କର ଜଣେ ସହଯୋଗୀଙ୍କୁ ଧରି ଖଣିକୁ ଆସିଥିଲେ। ଦୁହେଁ ମିଶି ଅନ୍ୟ ଏକ ଟ୍ରକ୍ ସହାୟତାରେ ଏହାକୁ ଷ୍ଟାର୍ଟ୍ ପାଇଁ ଯୋଜନା ବେଳେ ଦୁର୍ଘଟଣା ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/21.jpg)