ଅମାନିଆ ନାବାଳକ ଓ ନାବାଳିକା ବାଇକ୍ ଚାଳକ : ଦ୍ରୁତ ଗତିରେ ବୁଲୁଛନ୍ତି, ବଢ଼ୁଛି ସଡ଼କ ଦୁର୍ଘଟଣା

ଜୟପୁର: ବୟସ ୧୫ଛୁଇଁନି। ହେଲେ ବାଇକ୍ ଧରି ସହର ସାରା ଦ୍ରୁତ ଗତିରେ ବୁଲୁଛନ୍ତି। ବାର ତେର ବର୍ଷର ପୁଅ ଓ ଝିଅ ବି ସ୍କୁଟି, ବୁଲେଟ, ପଲସର୍, ୟାମହା ଏଫଜେଡ୍ , କେଟିଏମ୍ ଆଦି ଦ୍ରୁତଗାମୀ ଓ ଦାମିକିଆ ବାଇକ ଚଳାଉଛନ୍ତି। ଏପରିକି କିଛି ନାବାଳିକା ବି ବୁଲେଟ ଚଳାଉଥିବା ଦେଖିବାକୁ ମିଳିଛି। ଏହି ନାବାଳକ, ନାବାଳିକା ବାଇକ୍ ଓ ସ୍କୁଟି ଚାଳକଙ୍କ ଯୋଗୁଁ ସହରରେ ଟ୍ରାଫିକ୍ ସମସ୍ୟା ସହ ଛୋଟ ବଡ ଦୁର୍ଘଟଣା ଗତ କିଛି ଦିନ ହେବ ନିୟମିତ ହୋଇଛି। ସହରର ଅଧିକା˚ଶ ଛାତ୍ରଛାତ୍ରୀଙ୍କ ପାଖରେ ହାତରେ ମୋବାଇଲ୍ ଓ ସ୍କୁଲ , କଲେଜ ଯିବା ପାଇଁ ବାଇକ୍ ଓ ସ୍କୁଟି ରହିଛି। ଅଭିଭାବକମାନେ ପିଲାଙ୍କ ପାଇଁ ସମୟ ଦେଇ ନ ପାରି ସ୍କୁଲ, କଲେଜ , ଟ୍ୟୁସନ୍, ଟ୍ୟୁଟରିଆଲ୍, କମ୍ପ୍ୟୁଟର କ୍ଲାସ୍ ଆଦିକୁ ଯିବା ପାଇଁ ସେମାନଙ୍କ ଦାବି ମୁତାବକ ଗାଡି କିଣି ଦେଉଛନ୍ତି।

ଏଭଳିକି ଏମାନେ ପୁଣି ବିନା ହେଲମେଟରେ ଅତ୍ୟନ୍ତ ଦ୍ରୁତଗତିରେ ଯାଉଛନ୍ତି। ପିଲାମାନେ ଗାଡି ଧରି କଣ କରୁଛନ୍ତି, କେଉଁଠିକୁ ଯାଉଛନ୍ତି, ଟ୍ରାଫିକ ମାନୁଛନ୍ତି ନା ନାହିଁ, କଲେଜ, ସ୍କୁଲ ନାଁରେ କେଉଁଟିକୁ ଯାଉଛନ୍ତି ଆଦି ବି ଯା˚ଚ କରୁନାହାନ୍ତି। ଏପରିକି ଗତ କିଛି ଦିନ ହେବ ଏହି ପିଲା ମାନେ ଦଳ ଦଳ ହୋଇ ଦ୍ରୁତ ବାଇକରେ ପ୍ରତିଯୋଗିତା ବି କରୁଥିବା ଦେଖିବାକୁ ମିଳିଛି। ଏହି ଅମାନିଆ ପିଲାଙ୍କ ପାଇଁ ସହରରେ ଲାଗିଥିବା ସିସିଟିଭି ବି କାଟୁ କରୁନି। କୋଭିଡ୍ କଟକଣା ସାମାନ୍ୟ କୋହଳ ହେବା ପରେ ଏମାନେ ଆହୁରି ଅଧିକା ଅମାନିଆ ହୋଇଛନ୍ତି। ତେଣୁ ବେପରୁଆ ଗାଡି ଚାଳନା ଯୋଗୁଁ ବହୁ ସମୟରେ ଛୋଟ ବଡ ଦୁର୍ଘଟଣା ସଂଘଟିତ ହେଉଛି। ଅଳ୍ପ ଦିନ ତଳେ କିଛି କଲେଜ ଓ ସ୍କୁଲର ଛାତ୍ରଛାତ୍ରୀମାନେ ପାତ୍ରପୁଟ, କୋରାପୁଟ ଘାଟିକୁ ଯାଇ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଏବେ ଦୁଇ ଜଣଙ୍କୁ ବିଶାଖାପାଟଣାର ଏକ ଘରୋଇ ନର୍ସିଂ ହୋମରେ ଭର୍ତ୍ତି କରାଯାଇଛି।

ସେଭଳି ସହରରେ ଦ୍ରୁତ ଗତିରେ ଏମାନେ ବାଇକ୍ ଚଳାଇ ଅନ୍ୟ ବାଇକ ଚାଳକଙ୍କୁ ଅସୁବିଧାରେ ପକାଉଥିବା ଦେଖିବାକୁ ମିଳିଛି। ଏପରିକି ଏତେ ଦ୍ରୁତ ଗତିରେ ଏମାନେ ଯାଉଛନ୍ତି ଯେ ଏମାନେ ଯିବା ସମୟରେ ଅନ୍ୟ ମାନେ ଯିବାକୁ ଭୟ କରୁଛନ୍ତି। ଯଦିଓ ପୁଲିସ ପକ୍ଷରୁ କିଛି ସମୟରେ ଯାଞ୍ଚ କରାଯାଉଥିଲେ ହେଁ ଏହା ଅଳ୍ପ କିଛି ସମୟ ପାଇଁ। ଏହି ସମୟରେ ଏହି ନାବାଳକ ମାନେ ଅନ୍ୟ ସାହି ଓ ଗଳି ରାସ୍ତାରେ ଯିବା ଆସିବା କରିବା ପରେ ଯଥା ପୂର୍ବ˚କୁ ତଥା ପର˚ ଅବସ୍ଥାକୁ ପଳାଇ ଆସୁଛି। ଯାଞ୍ଚକୁ ନିୟମିତ କରିବା ସହ ନାବାଳକ ବାଇକ୍ ଚାଳକଙ୍କୁ ଧରିବା ସହ ସେମାନଙ୍କ ଅଭିଭାବକଙ୍କୁ କଡା ତାଗିଦ୍ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର