ଗୁଜରାଟରୁ ଫେରୁଥିଲେ, ଘରେ ପହଞ୍ଚିବାର ଅଧଘଣ୍ଟା ଆଗରୁ ଟ୍ରକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର: ମକର ପ‌ାଇଁ ସୁଦୂର ଗୁଜୁରାଟରୁ ଘରକୁ ଫେରୁଥିଲେ। ଅଧଘଣ୍ଟା ପରେ ଘରେ ପହଞ୍ଚିଥାନ୍ତେ। ହେଲେ ଏହା ପୂର୍ବରୁ ଟ୍ରକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ। ମୃତ ଯୁବକ ଜଣଙ୍କ ହେଉଛନ୍ତି ଘସିପୁରା ଥାନା ନିଆଳିଝରଣ ଗ୍ରାମର ମୋହନ ହେମ୍ବ୍ରମ (୩୦)।

ମୋହନ କିଛିବର୍ଷ ହେଲା ଗୁଜୁରାଟରେ ରହି ଶ୍ରମିକଭାବେ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନ୍‌ ବେଳେ ଘରକୁ ଆସିଥିଲେ। ରଜ ପରେ ପୁଣି ଗୁଜୁରାଟ ଚାଲି ଯାଇଥିଲେ। ମକର ପାଇଁ ଗଉଡ଼ଶିଙ୍ଗା ଗ୍ରାମର ବାର୍ସା ହେମ୍ବ୍ରମ (୩୨)ଙ୍କ ସହ ଘରକୁ ଫେରୁଥିଲେ। ଘସିପୁରା ବସ୍‌ଷ୍ଟାଣ୍ଡରୁ ମିଠା ଓ ଅନ୍ୟାନ୍ୟ ସାମଗ୍ରୀ କିଣି ବାଇକ୍‌ରେ ଗଉଡ଼ଶିଙ୍ଗାର ମାଧବ ହେମ୍ବ୍ରମ (୨୪)ଙ୍କ ସହ ଘରକୁ ଯାଉଥିଲେ। ଦିନ ପ୍ରାୟ ଗୋଟାଏ ବେଳେ ଶୈଲଙ୍ଗ ଓଭରବ୍ରିଜ୍ ନିକଟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବ ଏକ ଦଶଚକିଆ ଟ୍ରକ୍‌ (ଓଆର୍‌-୦୯ଏଫ୍-୬୦୫୮) ଟ୍ରକ୍ ସେମାନଙ୍କୁ‌ ଧକ୍କା ଦେଇଥିଲା। ଅନ୍ୟ ଦୁଇଜଣ ଛିଟିକି ପଡ଼ିଥିବାବେଳେ ମୋହନଙ୍କ ଉପରେ ଟ୍ରକ୍‌ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ସ୍ଥାନୀୟ ‌ଲୋକେ ଟ୍ରକ୍‌ ଡ୍ରାଇଭରକୁ ଅଟକ ରଖିଥିଲେ। ଘସିପୁରା ଥାନା ଅଧିକାରୀ ମନୋରଞ୍ଜନ ବିଶି, ଏସ୍ଆଇ ସିନ୍ମୟ ବଳ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଡ୍ରାଇଭରକୁ ଥାନାକୁ ଆଣିଥିଲେ। ଗୁରୁତର ବାର୍ସା ଓ ମାଧବଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କ ମୃତ୍ୟୁପରେ ପତ୍ନୀ ଓ ଦୁଇପିଲା ବେସାହାରା ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର