ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ସଡ଼କ ଦୁର୍ଘଟଣା ବଢ଼ିବ‌ାରେ ଲାଗିଛି। ନୂଆବର୍ଷର ପ୍ରଥମ ୧୫ ଦିନରେ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହେଲାଣି। ୨ ଜଣ କୋମାରେ ବିଶାଖାପାଟଣା, ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ଯାହା ଚିନ୍ତାଜନକ। ଦୁର୍ଘଟଣାହାର ରୋକିବାକୁ ସଡ଼କ ସୁରକ୍ଷା ସପ୍ତାହରେ ପ୍ରଶାସନ ଗୁରୁତ୍ବାରୋପ କରିଥିବା ବେଳେ ସଚେତନତା ମାଧ୍ୟମରେ ଏହାକୁ ରୋକିବାକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଜାନୁଆରୀ ୧୧ରୁ ୧୭ ପର୍ଯ୍ୟନ୍ତ ପୁଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ସ୍କୁଲ, କଲେଜ ସ୍ତରରେ ସଚେତନତା ଅଭିଯାନ ଚାଲିଥିବା ବେଳେ ବେସରକାରୀ ସ୍ତରରେ ମଧ୍ୟ ଏହାକୁ ଗୁରୁତ୍ବ ଦିଆଯାଇଛି। ରାୟଗଡ଼ା ଜିଲ୍ଲାରେ ୨୦୨୧ ରେ ସଡ଼କ ଦୁର୍ଘଟଣାରେ ୧୩୩ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୨ରେ ମୃତ୍ୟୁ ସଂଖ୍ୟା ୧୧୨କୁ ଖସି ଆସିଛି।

Advertisment

୨୦୨୨ ରେ ସଡ଼କ ଦୁର୍ଘଟଣା ହାର ୨୦ ପ୍ରତିଶତ କମାଇବାକୁ ରାଜ୍ୟ ସରକାର ଜିଲ୍ଲା ପୁଲିସକୁ ନିର୍ଦେଶ ଦେଇଥିଲେ। ୧୭ ପ୍ରତିଶତ ଦୁର୍ଘଟଣାହାର କମାଇବାରେ ପୁଲିସ ସକ୍ଷମ ହୋଇଛି। ଚଳିତ ବର୍ଷ ମୃତ୍ୟୁ ସଂଖ୍ୟା ଆହୁରି କମାଇବାକୁ ବାଇକ୍ ଚଲାଇବା ସମୟରେ ହେଲମେଟ, କାର ଚଲାଇବା ସମୟରେ ସିଟ୍ ବେଲଟ୍‌ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସମସ୍ତ ସହରର ପ୍ରବେଶ ଓ ପ୍ରସ୍ତାନ ପଥରେ ଯାଞ୍ଚକୁ କଡାକଡି କରାଯାଇଛି। ଏଥିସହିତ ଟ୍ରାଫିକ ନିୟମକୁ କଡାକଡି କରାଯାଇ ଭାରିଯାନ ଚଳାଚଳ, ବେପାରୁଆ ଡ୍ରାଇଭିଂ ଉପରେ ପୁଲିସ ତୀକ୍ଷଣ ନଜର ରଖିଛି। ମଦ୍ୟ ପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ଲାଇସେନ୍ସ ବାତିଲ ସହ ଜରିମାନା ଆଦାୟକୁ ଗୁରୁତ୍ବ ଦେଇଛି ପୁଲିସ। ସେହିପରି ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିକୁ ଜବତ କରି କୋର୍ଟରୁ ମୁକୁଳାଇବାକୁ ପୁଲିସ ବାଧ୍ୟତାମୂଳକ କରିଛି। ଜରିମାନା ଆଦାୟ କରି ଛାଡ଼ିଦେଲେ ଚାଳକ ପୁଣି ଥ‌ରେ ନିୟମ ଉଲ୍ଲଂଘନ କରୁଥିବାରୁ ପୁଲିସ ଏହି ପଦକ୍ଷେପ ନେଇଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।