ଭୋଗରାଇ/ଚନ୍ଦନେଶ୍ୱର : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ନେଗୁଁଆ ଛକଠାରେ ଆଜି ଅପରାହ୍ନରେ ଏକ କାର୍ ରାସ୍ତାକଡ଼କୁ ମାଡ଼ିଯିବା ଫଳରେ ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳାଦ୍ବୟ ହେଲେ ସ୍ଥାନୀୟ କଖଡ଼ା ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର ଜୟଦେବ ରାଉଳଙ୍କ ପତ୍ନୀ ତଅପୋଇ ରାଉଳ ଓ ବୁବୁ ସେଠୀଙ୍କ ପତ୍ନୀ ପୂର୍ଣ୍ଣିମା ସେଠୀ। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କାର୍ ଚାଳକଙ୍କ ସମେତ ଗାଡ଼ି ଭିତରେ ଥିବା ଅନ୍ୟ ୪ ଜଣ ଯୁବକଙ୍କୁ ନିର୍ଧୂମ୍ ଛେଚିବା ସହିତ ରାସ୍ତା ଅବରୋଧ କରିଥିଲେ। ଫଳରେ ପ୍ରାୟ ୩ ଘଣ୍ଟା ଧରି ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥରେ ଯାତାୟାତ ବନ୍ଦ ହୋଇ ଯାଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି କାର ଚାଳକ ଓ ଅନ୍ୟମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜଳେଶ୍ୱରପୁର ଡାକ୍ତରଖାନା ପଠାଇଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳେ ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳରୁ ଏକ କାର୍ ଯୋଗେ ଦୀଘା ବୁଲିବାକୁ ବାହାରିଥିଲେ ନିଧିପଣ୍ଡା ଗାଁର ବିନୟ ଭୂୟାଁ, ସହଦେବଖୁଣ୍ଟା ଅଞ୍ଚଳର ଗିରିଶଚନ୍ଦ୍ର ସାହୁ, ନରେଶ କୁମାର ସିଂ, ସୁଜିତ କୁମାର ଗିରି, ଶୁଭମ୍ ଗିରି ଓ ଗୋପୀ ଦାସ। ଦୀଘାରେ ବୁଲାବୁଲି ସାରିବା ପରେ ଅପରାହ୍ନରେ ସେମାନେ ବାଲେଶ୍ୱର ଫେରୁଥିଲେ। ଗୋପୀ ଗାଡ଼ି ଚଳାଉଥିବା ବେଳେ ନେଗୁଁଆ ଛକଠାରେ ହଠାତ୍ ଭାରସାମ୍ୟ ହରାଇବାରୁ କାର୍ଟି ରାସ୍ତାକଡ଼କୁ ମାଡ଼ି ଯାଇଥିଲା। ସେଠାରେ ଏକ ଇ- ରିକ୍ସାରେ ଯିବା ପାଇଁ ପୁରୁଷୋତ୍ତମପୁର ଗାଁର ସଂପୃକ୍ତ ବ୍ୟକ୍ତିମାନେ ଛିଡ଼ା ହୋଇଥିଲେ। କାର୍ଟି ସେମାନଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ତଅପୋଇଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀଙ୍କ ସହ ଛିଡ଼ା ହୋଇଥିବା ପୂର୍ଣ୍ଣିମା, ତାଙ୍କ ସାନପୁଅ ଏବଂ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଥିଲେ। ଜଳେଶ୍ୱରପୁର ଡାକ୍ତରଖାନାରେ ପୂର୍ଣ୍ଣିମାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ସେଠାରେ ମୃତ ମହିଳାଙ୍କ ଶବ ରଖି ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି।