ବାଇକ୍ ଦୁର୍ଘଟଣାରେ ଜଣେ ମୃତ,ଜଣେ ଗୁରୁତର

ଭଞ୍ଜନଗର: ଭଞ୍ଜନଗର ଥାନା ଅଧିନ ଜୟମଙ୍ଗଳ ଗ୍ରାମ ନିକଟ ଜଙ୍ଗଲ ରାସ୍ତାରେ ବାଇକ୍ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକ ଜଣକ ହେଲେ ତାରସିଂ ଥାନା ଗାଲେରୀ ଗ୍ରାମର ଗୋପାଳ ବେହେରାଙ୍କ ପୁଅ ଭିକି ବେହେରା(୨୩)। ଭିକିର ସାଙ୍ଗରେ ଥିବା ମସ୍କାବାଡି ଗ୍ରାମର କାର୍ତ୍ତିକେଶ୍ବର ମଲ୍ଲିକ ଗୁରୁତର ଭାବେ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଭିକି ଓ କାର୍ତ୍ତିକେଶ୍ବର ଭଞ୍ଜନଗର ସହରକୁ କୌଣସି କାମରେ ଆସି ବିଳମ୍ବିତ ରାତିରେ ଫେରୁଥିଲେ। ସେମାନେ ମୁଜାଗଡ଼ ନିକଟ ଜୟମଙ୍ଗଳ ଗ୍ରାମର ଜଙ୍ଗଲ ରାସ୍ତା ଅତିକ୍ରମ କରିବା ସମୟରେ ଅସାବଧାନତାବଶତଃ ରାସ୍ତାକଡ଼ କଲଭର୍ଟରେ ପିଟି ହୋଇ ତଳେ ପଡିଯାଇଥିଲେ।

ବିଳମ୍ବିତ ରାତି ସହ ନିର୍ଜନ ଇଲାକା ହୋଇଥିବାରୁ ରାତିରେ ସେମାନେ ଦୁର୍ଘଟଣାଗସ୍ତ ହୋଇଥିବା କେହି ଖବର ପାଇ ପାରି ନଥିଲେ। ଏହାପରେ ଆଜି କିଛି ଲୋକ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଦମକଳବାହିନୀଙ୍କୁ ଖବର ଦେଇଥିଲେ। ଏହାପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସେଠାରେ ଡାକ୍ତର ଭିକିକୁ ମୃତ ଘୋଷଣା କରିଥିବା ବେଳେ କାର୍ତ୍ତିକେଶ୍ବରର ଚିକିତ୍ସା ଆରମ୍ଭ କରିଥିଲେ। କିଛି ସମୟ ପାଇଁ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପୁଲିସ୍ ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ କେସ୍ ନଂ ୫୭୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର