ବଲାଙ୍ଗୀର: କିଛି ଦିନର ବ୍ୟବଧାନ ପରେ ବଲାଙ୍ଗୀର-ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥରେ ପୁଣି ମୁଣ୍ଡ ଗଡ଼ିଛି। ବୁଧବାର ସନ୍ଧ୍ୟାରେ ସହର ଉପକଣ୍ଠ ମାଧିଆପାଲି ନିକଟରେ ଏକ ଟ୍ରକ୍ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇ ତାଙ୍କ ମୁଣ୍ଡ ଉପର ଦେଇ ଚାଲିଯାଇଥିଲା। ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସେହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ଘଟଣା ଘଟାଇ ଟ୍ରକ୍ଟି ପଳାଉଥିବା ବେଳେ ଲୋକେ ତାକୁ ପିଛା କରି କିଛି ଦୂର ଆଗରେ ଅଟକାଇ ସେଥିରେ ନିଆଁ ଲଗାଇ ଦେଇଥିଲେ।
ମୃତ ବ୍ୟକ୍ତି ଜଣକ ଖମାରମୁଣ୍ଡାର ରବିନାରାୟଣ ନନ୍ଦ (୫୫ବର୍ଷ) ବୋଲି ଜଣାପଡ଼ିଛି। ସେ ବଲାଙ୍ଗୀର ସହର ସୁଦପଡ଼ାଠାରେ ଥିବା ଏକ ପ୍ରିଣ୍ଟିଂପ୍ରେସ୍ରେ କାମ କରୁଥିଲେ। ଗାଁକୁ ଫେରୁଥିବା ବେଳେ ବାଟରେ ଏହି ଦୁର୍ଘଟଣା ଘଟିଥିଲା। ଗ୍ରାମବାସୀ ଓ ସ୍ଥାନୀୟ ଲୋକେ ମୃତକଙ୍କ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରି ରାସ୍ତା ଉପରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଫଳରେ ବହୁ ସମୟ ଧରି ରାସ୍ତା ଅବରୋଧ ହୋଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ର ନିଆଁକୁ ଆୟତ୍ତ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ପୁଲିସ ଓ ମାଜିଷ୍ଟ୍ରେଟ ବୁଝାସୁଝା କରି ରାସ୍ତାରୋକରୁ ହଟାଇଥିଲେ।