ବସ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଖାରି: ସୋନପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ କୁକୁଡ଼ାଯୋର ଢାବା  ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଚକାଡୋଳା ନାମକ ଏକ ବସ୍‌ ଏକ ବାଇକ୍‌କୁ ପଛପଟୁ ଧକ୍କା ଦେବାରୁ ବାଇକ୍‌ ଆରୋହୀ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ପ୍ରାପ୍ତ ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ବାଘପାଲି ଗାଁ’ର ଦୁଃଶାସନ ସାହୁ ଓ ପତ୍ନୀ କୁନ୍ତି ସାହୁ ଏକ ବାଇକ୍‌ରେ ଖରଝୁରା ନୂଆବସ୍ତିରୁ ଘରକୁ ଫେରୁଥିଲେ। ଉକ୍ତ ଢାବା ନିକଟରେ ଚକାଡୋଳା ବସଟି ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏଥିରେ ଉଭୟେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋନପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ମାତ୍ର ସେଠାରେ ଡାକ୍ତର ଦୁଃଶାସନଙ୍କୁ ମୃତ ଘୋଷଣା କରିଥିଲେ। ଏହା ସହ କୁନ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ସଙ୍ଗେ ସଙ୍ଗେ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ଖବର ପାଇ ସୋନପୁର ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଦୁର୍ଘଟଣା ପରେ ବସ୍‌ର ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର