ଜୟପୁର: ଆଜି ଦିନ ୧୨ଟା ବେଳେ ଜୟପୁର ସଦରଥାନା ଅର୍ନ୍ତଗତ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସମ୍ମୁଖ ଜୟପୁର-ବୋରିଗୁମ୍ମା ଜାତୀୟ ରାଜପଥ ୨୬ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଜୟପୁର କୁମ୍ଭାରସାହିର ସଦା ମୁଦୁଲି(୩୨)। ତାଙ୍କ ବାଇକର ପଛରେ ବସିଥିବା ଶିବ ମାଝୀ ଗୁରୁତର ଆହତ ହୋଇ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜରେ ଚିକିତ୍ସାଧୀନ ରହିଥିବା ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ସୂଚନା ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ଉଭୟ କୌଣସି କାମରେ ଉମୁରୀ ଯାଇ ଜୟପୁର ଫେରୁଥିଲେ। ଜାତୀୟ ରାଜପଥ ଅବସ୍ଥା ଭଲ ନଥିବା ବେଳେ ଏଠାରେ ରହିଥିବା ଗର୍ତ୍ତଗୁଡ଼ିକୁ କାଟିକାଟି ଏମାନେ ଆସୁଥିବା ବେଳେ ଟ୍ରକ ନଂ ଓଡି ୧୦କେ ୪୭୪୪ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ମୃତ ସଦା ଓ ଶିବ ଦୁରକୁ ଛିଟକି ପଡ଼ିଥିଲେ। ଉଭୟଙ୍କ ମୁଣ୍ଡରେ ଗୁରୁତର ମାଡ଼ ବାଜିଥିଲା।

ଘଟଣାସ୍ଥଳରେ ହିଁ ସଦାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା। ଗୁରୁତର ଅବସ୍ଥାରେ ଶିବଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟ ପଟେ ଦୁର୍ଘଟଣା ଖବର ପାଇ ତାଙ୍କ ପରିବାରବର୍ଗ ଓ ସାହିବାସିନ୍ଦା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଘେରି ଯାଇଥିଲେ।

ଉତ୍ତେଜନାର ଖବର ପାଇ ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର, ସବଇନ୍ସପେକ୍ଟର ନବୀନ କୁମାର ଟପ୍ପୋ, ପିକେ ମହାନ୍ତି, ଏଏସଆଇ ଏମ୍ ଆର ସାହୁ, ରମାକାନ୍ତ ହୋତା, ଜି ପି ବେହେରା, ଟାଉନଥାନାର ସବ ଇନ୍ସପେକ୍ଟର ରିଗୋନ୍ କିଣ୍ଡୋ ଆଦି ସଦଳବଳ ସହ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୁଲିସ ପଠାଇଥିଲା। ପରିବାରବର୍ଗ ଓ ସାହିବାସିନ୍ଧା ମୃତକ ଓ ଗୁରୁତର ଆହତଙ୍କ କ୍ଷତିପୁରଣ ଓ ଚିକିତ୍ସାଖର୍ଚ୍ଚ ଦାବି କରି ସଦରଥାନାରେ ଜମା ହୋଇ ରହିଥିବା ସୂଚନା ମିଳିଛି।

ଅନ୍ୟ ପଟେ ମୃତକ ସଦାଙ୍କ ଶବ ବ୍ୟବଚ୍ଛେଦ ସରିଥିଲେ ହେଁ ପରିବାରବର୍ଗ କ୍ଷତିପୁରଣ ପ୍ରଦାନ ନ କରିବା ପର୍ଯ୍ୟନ୍ତ ଶବ ନେବେନି ବୋଲି ଜିଦ୍ ଧରି ଥାନାରେ ବସି ରହିଥିଲେ। ରିପୋର୍ଟ ଲେଖା ହେବା ଯାଏଁ ମୃତକଙ୍କ ମରଶରୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବାଗାରରେ ରହିଥିବା ସୂଚନା ମିଳିଛି। ସେଭଳି ଦୁର୍ଘଟଣାସ୍ଥଳରେ ଟ୍ରକ ରହିଥିବାରୁ ଉଭୟ ଥାନାର ପୁଲିସ ଅଘଟଣକୁ ଦୃଷ୍ଟିରେ ରଖି ଜଗି ରହିଛନ୍ତି।