ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଅଟୋ ଧକ୍କାରେ ମତ୍ସ୍ୟ ଅଧିକାରୀଙ୍କର ମୃତ୍ୟୁ

ଭଞ୍ଜନଗର: ପ୍ରାତଃ ଭ୍ରମଣରେ ଯାଉଥିବା ସମୟରେ ସାମ୍ନା ପଟୁ ଆସୁଥିବା ଏକ ଅଟୋ ସହ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଭଞ୍ଜନଗର ଥାନା ଅଧୀନ ତୁଳସୀପଲ୍ଲୀ ଛକଠାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ବାଗଦେବୀ ରୋଡ଼ ଠାରେ ରହୁଥିବା ପ୍ରଭାସ କୁମାର ଦାଶ(୩୬) ଆଜି ଭୋର୍ ସମୟରେ ପ୍ରାତଃ ଭ୍ରମଣରେ କୁଲାଡ଼ ରାସ୍ତାରେ ଚାଲି ଚାଲି ଯାଉଥିଲେ । ଏହି ସମୟରେ କୁହୁଡ଼ି ବହୁତ ହୋଇଥିବା ସହ ବାଟ ମଧ୍ୟ ଭଲ ଭାବେ ଦେଖା ଯାଉନଥିଲା।

କୁହୁଡି ମଧ୍ୟରେ ରାସ୍ତା ଜାଣି ନପାରି ଅଟୋ ଚାଳକ ଜଣଙ୍କ ପ୍ରଭାସଙ୍କୁ ଧକ୍କା ଦେଇଥିଲେ। ଯାହା ଫଳରେ ସେ ଅଟୋ ସହ ଶକ୍ତ ଧକ୍କା ହୋଇ ରାସ୍ତା ଉପରେ କଚାଡି ହୋଇ ପଡିଥିଲେ। ତାଙ୍କର ମୁଣ୍ଡରେ ପ୍ରବଳ ଆଘାତ ଲାଗିବା ସହ କାନରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତୁରନ୍ତ ପ୍ରଭାସକୁ ଘଟଣାସ୍ଥଳରୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିଲା।

କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟି ଯାଇଥିଲା। ପୁଲିସ୍ ଦୁର୍ଘଟଣା ଘଟାଇଥିବା ଅଟୋକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପ୍ରଭାସ ଭୂବନେଶ୍ବରର ମୂଳ ବାସିନ୍ଦା ହୋଇଥିବା ବେଳେ ଗତ ୨୦୧୮ ମସିହାରୁ ବେଲଗୁଣ୍ଠା ପଞ୍ଚାୟତ ସମିତିରେ ସହକାରୀ ମତ୍ସ୍ୟ ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଥିଲେ। ଆଜି ତାଙ୍କର ଅକାଳ ବିୟୋଗରେ ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର