ରାଇରଙ୍ଗପୁର: ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ରାଇରଙ୍ଗପୁର ଟାଉନ୍ ଥାନା ଅର୍ନ୍ତଗତ ୨୨୦ ନଂ ଜାତୀୟ ରାଜପଥର ପୁରୁଣାପାଣି ନିକଟରେ ତାମଳବନ୍ଧ ଗ୍ରାମର ଭୂପତି ରାଉତ (୫୫) ନିଜ ସ୍କୁଟି ଯୋଗେ ରାଇରଙ୍ଗପୁର ଆସୁଥିବା ସମୟରେ ବହଳଦା ଯାଉଥିବା ଓଆର୍ ୧୯ ଜେ -୪୬୧୬ ନଂ ବିଶିଷ୍ଟ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇ ଫେରାର୍ ହୋଇଯାଉଥିବା ସମୟରେ ଭୁରୁଷା ନିକଟରେ ରାସ୍ତା ପାର୍ଶ୍ୱରେ ଥିବା ଏକ ଖାଲରେ ଖସିପଡିଥିଲା ।

Advertisment

ଗୁରୁତର ଅବସ୍ଥାରେ ଭୁପତିଙ୍କୁ ପ୍ରଥମେ ରାଇରଙ୍ଗପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ପିଆରଏମ୍ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଧକ୍କା ଦେଇ ଫେରାର୍ ହେଉଥିବା ବୋଲେରୋ ଚାଳକ ବଡାମକୁରାଢି ଗ୍ରାମର ସେକ୍ ନସିମଙ୍କୁ ପୁଲିସ୍ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣା ପରେ ବୋଲେରୋର ଆଗ ଚକ ଫାଟିଯାଇଥିଲା । ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଯାନକୁ ଜବତ କରି କେସ୍ ନଂ ୨୩୯/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଭୂପତି ଟ୍ରାକ୍ଟର ମାଲିକ ସଂଘର ସଭାପତି ଥିଲେ । ତାଙ୍କ ମୃତ୍ୟୁରେ ରାଇରଙ୍ଗପୁର ଅଂଚଳରେ ଶୋକରେ ଛାୟା ଖେଳିଯାଇଛି । ୨୨୦ ନଂ ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଥିବାରୁ ଯାତ୍ରୀ ମାନେ ଉକ୍ତ ରାସ୍ତାରେ ଯାତାୟତ କରିବାକୁ ଭୟ କରୁଛନ୍ତି ।