ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ,୨ ଗୁରୁତର, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଦାରିଙ୍ଗବାଡ଼ି: ବ୍ରାହ୍ମଣୀଗାଁ ଥାନା କିରାମା ନିକଟରେ ଏକ ଆମ୍ବୁଲାନ୍ସର ଆଗଚକ ଫାଟିଯିବାରୁ ଦୁର୍ଘଟଣା ଘଟି ସମ୍ମୁଖରେ ଆସୁଥିବା ବାଇକକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣକ ମୃତ୍ୟୁ ହୋଇଥିବା ବେ‌ଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବିରେ ରାସ୍ତାରୋକ ଚଳାଇଛନ୍ତି। ଅପରାହ୍‌ଣ ୩ଟାରୁ ଗ୍ରାମବାସୀ ବ୍ରାହ୍ମଣୀଗାଁ-ବ୍ରହ୍ମପୁର ରାସ୍ତାରେ ଗଛକାଟି ରାସ୍ତା ଉପରେ ପକାଇ ସମ୍ପୂର୍ଣ୍ଣ ଅବରୋଧ କରିଛନ୍ତି। ଫଳରେ ଦାରିଙ୍ଗବାଡ଼ିକୁ ଆସିଥିବା ପର୍ଯ୍ୟଟକଙ୍କ ଗମନାଗମନରେ ବାଧା ସୃଷ୍ଟି ହୋଇଛି। ବହୁ ପର୍ଯ୍ୟଟକ ରାସ୍ତାରେ ଅଟକି ରହିଥିବା ବେଳେ ଆଉ କିଛି ଅନ୍ୟ ରାସ୍ତା ଦେଇ ଗନ୍ତବ୍ୟସ୍ଥଳକୁ ଯାଇଛନ୍ତି।

ଘଟଣାସ୍ଥଳରେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଓ ତହସିଲଦାର କଳାକୃଷ୍ଣ ପ୍ରଧାନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ ଚଳାଇଥିଲେ ବି ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୋକ ହଟିନଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ଗ୍ରାମର ପଙ୍କଜ ଉଠାଣସିଂ (୪୫) ଓ ଅଡ଼ବା ଥାନା ଅନ୍ତର୍ଗତ ତଳ ଦମାଦୁଆ ଗ୍ରାମ ଗ୍ରାମର ଅଜିତ ନାୟକ(୩୫) କୌଣସି କାମରେ ବାଇକ୍‌ରେ ଆଡ଼ବା ଥାନା ଅନ୍ତର୍ଗତ ଦମାଦୁଆକୁ ଯାଇ ଅପରାହ୍‌ଣ ପ୍ରାୟ ସାଢ଼େ ୩ଟା ସମୟରେ ବ୍ରାହ୍ମଣୀଗାଁକୁ ଫେରୁଥିଲେ। ବ୍ରାହ୍ମଣୀଗାଁ ନିକଟ ଅଲିପଦର ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତାରେ ଏକ ୧୦୮ ଆମ୍ବୁଲାନ୍ସର ଆଗଚକ ଫାଟିଯିବାରୁ ବାଇକ୍‌ ସହ ମୁହାମୁହିଁ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ବାଇକ୍‌ ଚାଳକ ପଙ୍କଜଙ୍କ ମୃତ୍ୟୁ ହୋଇଥିଲା ବେଳେ ଅଜିତକୁ ଗୁରୁତର ଅବସ୍ଥାରେ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବି.ଡକେବାଡି ଗ୍ରାମର ସ୍ୱାମୀ ସାନୁ ପ୍ରଧାନ ( ୨୮) ଓ ସ୍ତ୍ରୀ ଦେବିକା ମଲିକ(୨୫) କୋଣସି କାମରେ ବାଇକ୍‌ରେ ଯାଉଥିବା ବେଳେ ଅପରାହ୍‌ଣ ପ୍ରାୟ ୪ଟା ସମୟରେ ଘରକୁ ଫେରୁଥିଲେ। ଏହି ସମୟରେ ଡବେରି ଗ୍ରାମ ନିକଟ ବାଳାପାଙ୍ଗା ଛକ ବୁଲାଣିରେ ଭାରସାମ୍ୟ ହରାଇ ଏକ ଖୁଣ୍ଟରେ ଧକ୍କା ଦେଇ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରୁ ଦୁହିଁଙ୍କୁ ଦାରିଙ୍ଗବାଡ଼ି ମେଡିକାଲରେ ଭର୍ତ୍ତି କରିଥିଲେ। ସାନୁ ପ୍ରଧାନଙ୍କୁ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ବାଲିଗୁଡ଼ା ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର