ଢେଙ୍କାନାଳ ନାବାଳିକା ଆତ୍ମହତ୍ୟା ଘଟଣା: ଅଭିଯୁକ୍ତ ଯୁବକ ଗିରଫ

ଢେଙ୍କାନାଳ: ଭାପୁର ଫାଣ୍ଡି ଅନ୍ତର୍ଗତ ନାବାଳିକା ଆତ୍ମହତ୍ୟା ଘଟଣାରେ ଢେଙ୍କାନାଳ ସଦର ଥାନା ପୁଲିସ ଅଭିଯୁକ୍ତ ସୁବାସ ମୁଦୁଲିକୁ ଗିରଫ କରିଛି । ଗତକାଲି ଉତ୍ତର କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ ଏଏସଆଇ ପଦ୍ମନାଭ ସାହୁଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ । ଏଏସଆଇ ନିଲମ୍ବିତ ହେବା ପରେ ପୁଲିସ ଆଜି ସକ୍ରିୟ ହୋଇଯାଇଥିଲା ।

ସୂଚନା ଅନୁସାରେ ସ୍ଥାନୀୟ ଅଂଚଳର ଜଣେ ନାବାଳିକା ନିଜ ଗାଁର ଜଣେ ଯୁବକଙ୍କ ଦ୍ୱାରା ଗତ ୬ ତାରିଖରେ ଅସଦାଚରଣର ଶିକାର ହେବା ପରେ ଭାପୁର ଫାଣ୍ଡିରେ ପରିବାର ଲୋକେ ସେଦିନ ଏତଲା ଦେଇଥିଲେ । କିନ୍ତୁ ସଂପୃକ୍ତ ଯୁବକଙ୍କୁ ପୁଲିସ ସୁରକ୍ଷା ଦେବାକୁ ଯାଇ ନାବାଳିକାର ଏତଲାକୁ ଗୁରୁତ୍ୱ ଦେଇ ନଥିଲା । ଫଳରେ ନାବାଳିକା ପ୍ରାୟ ଏକ ମାସ ପର୍ଯ୍ୟନ୍ତ ମାନସିକ ଭାରସାମ୍ୟ ହରାଇବା ପରେ ଶେଷରେ ବିଷ ପିଇ ଜୀବନ ହାରିଥିବା ପରିବାର ଲୋକେ ଆଜି ଏସ୍‌ପିଙ୍କ ନିକଟରେ ଅଭିଯୋଗ ଆଣିଥିଲେ ।

ରିପୋର୍ଟ ଅନୁସାରେ ଗତ ୬ ତାରିଖରେ ନାବାଳିକା ଜଣକ ଯୁବକଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିଲେ । ପରିବାର ଲୋକେ ଫାଣ୍ଡିରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା ବୋଲି ପରିବାର ଲୋକେ ଗଣମାଧ୍ୟମକୁ କହିଛନ୍ତି । ଯୁବକ ଜଣକ ଗତ ୨୮ ତାରିଖରେ ପୁଣି ଥରେ ନାବାଳିକାକୁ ଅସଦାଚରଣ କରିଥିଲା । ପରିବାର ଲୋକଙ୍କର ଅଭିଯୋଗ ଯେ, ଅସଦାଚରଣ ଘଟଣା ପରେ ଯୁବକ ଜଣକ ନାବାଳିକାକୁ ବାରମ୍ବାର ହଇରାଣ କରୁଥିଲା । ଏହି ଘଟଣାର ପୁନରାବୃତ୍ତି ହେଉଥିବାରୁ ଶେଷରେ ନାବାଳିକା ନିଯ୍ୟାତନା ସହି ନପାରି ଗତକାଲି ରାତିରେ ବିଷ ପିଇ ଆତ୍ମହତ୍ୟା କରଥିଲେ ।

ସମ୍ବନ୍ଧିତ ଖବର