ଠକେଇ ଅଭିଯୋଗରେ ଅଭିଯୁକ୍ତ ଗିରଫ, ଟଙ୍କା ସହ କାର ଜବତ

ଜୟପୁର: ନୂଆଦିଲ୍ଲୀ ଅଂଚଳର ଜଣେ ବ୍ୟବସାୟୀଙ୍କୁ କାଜୁ ମଂଜି ଯୋଗାଇବା ନାଁରେ ଜୟପୁରର ଜଣେ ଯୁବକ ପ୍ରଥମେ ଟଙ୍କା ନେଇ କାଜୁ ଦେଇ ନଥିଲେ। ପରେ ତାଙ୍କୁ ଜୟପୁର ଡାକି ବ୍ୟବସାୟୀଙ୍କ କାର୍ ଲୁଟି ନେଇଥିଲେ। ଏହି ମାମଲାରେ ଜୟପୁର ସଦରପୁଲିସକୁ ମିଳିଛି ସଫଳତା। ଗତକାଲି ରାତି ସାଢ଼େ ୮ଟା ବେଳେ ଠକେଇ କରିଥିବା ଟଙ୍କା ସହ ଲୁଟ କାର ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।

ସୂଚନା ଅନୁଯାୟୀ, ଗତ ୪ତାରିଖ ଦିନ ନୂଆଦିଲ୍ଲୀ ପ୍ରତାପଗଂଜ ଥାନା ଅର୍ନ୍ତଗତ ପାଣ୍ଡବନଗର ଅଂଚଳର ଶିବ କୁମାର ଝାଙ୍କ ପୁଅ ପ୍ରବୀଣ ରଂଜନ (୨୫)ଙ୍କୁ ଜୟପୁର ପାରାବେଢ଼ା ଅଂଚଳର ବାବୁଲି ମହାରାଣା ୯୦ହଜାର ଟଙ୍କା କାଜୁ ମଂଜି କିଣି ଯୋଗାଇବା ପାଇଁ କଥାବାର୍ତ୍ତା କରିଥିଲେ। ଟଙ୍କା ପାଇବା ପରେ ଅଭିଯୁକ୍ତ ବାବୁଲି ଆଉ କାଜୁ ଯୋଗାଇ ନଥିଲେ। ପ୍ରବୀଣ ବାରମ୍ବାର ମୋବାଇଲକୁ ଫୋନ କରିବାରେ ନମ୍ବର ସୁଇଚଅଫ୍ କହିଥିଲା। ଏହା ପରେ ପ୍ରବୀଣ ଜୟପୁର ଆସି ଅଭିଯୁକ୍ତ ବାବୁଲିଙ୍କ ସହ ଯୋଗାଯୋଗ କରିଥିଲେ।

ଅଭିଯୁକ୍ତ ବାବୁଲି ପ୍ରବୀଣଙ୍କୁ ବ୍ରାହ୍ମଣୀଗାଁ ନିକଟରେ ଥିବା ଏକ ପେଟ୍ରୋଲ ଟାଙ୍କି ନିକଟରେ ଭେଟିବାକୁ କହିଥିଲେ। ପ୍ରବୀଣ ପେଟ୍ରୋଲ ଟାଙ୍କି ନିକଟରେ ଥିବା ସମୟରେ ଅଭିଯୁକ୍ତ ବାବୁଲି ଅନ୍ୟ ୨ ସହଯୋଗୀଙ୍କୁ ନେଇ ସେଠାରେ ପହଚିଂଥିଲେ। ପ୍ରବୀଣ ସାଙ୍ଗରେ ନେଇ ଆସିଥିବା ସ୍ବିଫ୍ଟ ଡିଜାଇର କାରକୁ ତାଙ୍କ ଠାରୁ ଲୁଟି ନେଇଥିଲେ। ସେ ବାହାରୁ ଆସିଥିବାରୁ ତାଙ୍କୁ ଡରାଇ ଧମକାଇ ତାଙ୍କୁ ଠେଲି ଦେଇଥିଲେ। ପ୍ରବୀଣ ଏନେଇ ଜୟପୁର ସଦରଥାନାରେ ଏତଲା ଦେବା ପରେ ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ସବଇନିସପେକ୍ଟର ଏସ ପଣ୍ଡାଙ୍କୁ ମାମଲାର ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ। ପୁଲିସ ଅଭିଯୁକ୍ତ ବାବୁଲିଙ୍କୁ ଧରିବା ସହ ତାଙ୍କ ନିକଟରୁ କାଜୁ ଦେବା ପାଇଁ ଠକିଥିବା ୯୦ହଜାର ଓ ଲୁଟ କରିଥିବା କାର ଜବତ କରିଥିବା କହିଛନ୍ତି ଜୟପୁର ସଦରଥାନା ଅଧିକାରୀ।

ସମ୍ବନ୍ଧିତ ଖବର