ନକଲି ବନ୍ଧୁକ ଓ ଛୁରି ଦେଖାଇ ଲୁଟ୍‌, ଜେଲ୍‌ ଗଲା ଅଭିଯୁକ୍ତ

କଂଟାବାଞ୍ଜି: ତୁରେକେଲା ଥାନା ମହୁଲପାଟି ନିକଟରେ ନକଲି ବନ୍ଧୁକ ଓ ଛୁରି ଦେଖାଇ ଲୁଟ୍‌ ଘଟଣାରେ ଅଭିଯୁକ୍ତ ସମିର ଖାନ୍ (୧୯ବର୍ଷ) ବୁଧବାର ଜେଲ୍‌ ଯାଇଛି। ଅଭିଯୁକ୍ତ ସମିରର ଘର କଂଟାବାଞ୍ଜି ଦୈନିକ ବଜାର ପାଖରେ ବୋଲି ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବ୍ୟବସାୟୀ ସାହଜାତ ଖାନ୍‌ ଶାଳ, କମ୍ବଳ ଆଦି ବିକ୍ରି ପାଇଁ ଲାଠୋର ପଟୁ ଦିନ ପ୍ରାୟ ୧୨ଟାରେ ତୁରେକେଲାକୁ ଆସୁଥିଲେ। ଏହି ସମୟରେ ମହୁଲପାଟି ଗାଁ ନିକଟରେ ଦୁଇଜଣ ଯୁବକ ତାଙ୍କୁ ଅଟକାଇଥିଲେ। ବନ୍ଧୁକ ଓ ଛୁରି ଦେଖାଇ ତାଙ୍କଠାରୁ ୧୫ଶହ ଟଙ୍କା ନେଇଯିବା ସହ ମାଡ଼ ମାରିଥିଲେ। ପୁଲିସ ତଦନ୍ତ କରି ଯୁବକ ଦ୍ବୟ କଂଟାବାଞ୍ଜିର ବୋଲି ଜାଣି ପାରିଥିଲା। ପରେ କଂଟାବାଞ୍ଜି ଦୈନିକ ବଜାର ପାଖରୁ ସମିରକୁ ଗିରଫ କରିଥିଲା। ଲୁଟ୍‌ରେ ବ୍ୟବହାର ହୋଇଥିବା ଛୁରି ଓ ନକଲି ବନ୍ଧୁକ ଜବତ କରିଥିଲା। ବୁଧବାର ଅଭିଯୁକ୍ତ ସମିରକୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା ବୋଲି ତୁରେକେଲା ଥାନା ଅଧିକାରୀ କମଳ ଲୋଚନ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର