ପୁଲିସ୍ ହେପାଜତରୁ ଖସିଗଲା ଦୁଷ୍କର୍ମ ମାମଲାରେ ଜଡ଼ିତ ଅଭିଯୁକ୍ତ, ବାରିପଦା ସଦର ଥାନାରେ ଘଟିଛି ଘଟଣା

ବାରିପଦା: ପୁଲିସ୍ ହେପାଜତରୁ ଖସିଗଲା ଦୁଷ୍କର୍ମ ମାମଲାରେ ଜଡ଼ିତ ଅଭିଯୁକ୍ତ । ବାରିପଦା ସଦର ଥାନାରେ ଘଟିଛି ଏହି ଘଟଣା। ଏହି ଥାନା ଅନ୍ତର୍ଗତ ରଜାବସା ଅଞ୍ଚଳର ବବ୍ଲୁ ହେମ୍ବ୍ରମ୍କୁ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୧ଟାରେ ପୁଲିସ୍ ଗିରଫ କରି ଥାନାକୁ ଆଣିଥିଲା। ଅଭିଯୁକ୍ତ ଯୁବକ ବବ୍ଲୁକୁ କୌଶଳକ୍ରମ‌େ ସଦର ଥାନାରୁ ରାତି ପ୍ରାୟ ୩ଟା ସମୟରେ ଖସିଯାଇଛି। ଏସମ୍ପର୍କରେ ଜଣାପଡ଼ିଲା ପରେ ଦାୟିତ୍ବରେ ଥିବା ଥାନା କର୍ମଚାରୀ ଖୋଜାଖୋଜି କରିଥିଲେ ମଧ୍ୟ ବବ୍ଲୁକୁ ପାଇନଥିଲେ। ଏନେଇ ବାରିପଦା ଟାଉନ୍ ଥାନାରେ ସଦର ଥାନା ଏସ୍ଆଇ ସନ୍ତୋଷ କୁମାର ବିଶୋଇ ଏକ ଅଭିଯୋଗ ଦାଖଲ କରିଛନ୍ତି। ଘଟଣା ସମ୍ପର୍କରେ ସଦର ଥାନା ଆଇଆଇସି ପ୍ରେମଦା ନାୟକ ବିଶେଷ କିଛି କହିନଥିଲେ ମଧ୍ୟ ଥାନା ହାଜତରୁ ଅଭିଯୁକ୍ତ ଖସିଯିବାକୁ ସ୍ବିକାର କରିଛନ୍ତି।

ଫେରାର ଅଭିଯୁକ୍ତକୁ ଦୁଇଟି ପୁଲିସ୍ ଟିମ୍ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇପାରିନଥିବା ଜଣାପଡ଼ିଛି। ତେବେ ଥାନା ହାଜତରୁ କିପରି ଜଣେ ଅଭିଯୁକ୍ତ ଖସିଗଲା ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ଉକ୍ତ ରାତିରେ ଦାୟିତ୍ବରେ ଥିବା ପୁଲିସ୍ କର୍ମଚାରୀଙ୍କ ଅବହେଳା ଯୋଗୁଁ ଘଟିଥିବା ଅଭିଯୋଗ ହୋଇଛି। ଥାନା ସିସି ଟିଭିରେ ମଧ୍ୟ ଅଭିଯୁକ୍ତ ଜଣଙ୍କ ପୁଲିସ୍ର ଅସାବଧାନତାର ସୁଯୋଗ ନେଇ ଖସିଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି। ଏସମ୍ପର୍କରେ ସଦର ଥାନା ପୁଲିସ୍ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହାନ୍ତି।

ସମ୍ବନ୍ଧିତ ଖବର