ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ଅଭିଯୁକ୍ତ ଯୁବକ ଗିରଫ

ବାରିପଦା: ବାରିପଦା ଟାଉନ୍ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରି ପ୍ରତାରଣା କରିଥିବା ଅଭିଯୋଗରେ ବାରିପଦା ପୌରପରିଷଦ ୱାର୍ଡ ନଂ-୮, ବଡ଼ବଜାର ଅଞ୍ଚଳର ଲିପନ ଓରଫ ଅନନ୍ତ କୁମାର ରଣା(୩୧)କୁ ପୁଲିସ୍ ଗିରଫ କରିଛି।

ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କଠାରୁ ୭୦ ହଜାର ଟଙ୍କା ଗ୍ରୁପ୍ ଲୋନ ହାତେଇ ନେବା ସାଙ୍ଗକୁ ପିନ୍ଧିଥିବା ସୁନା କାନଫୁଲ ଆଦି ନେଇଥିବା ବାରିପଦା ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ତେବେ ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ବାରମ୍ବାର ବିବାହ ଟାଳି ଆସୁଥିଲେ। ଏନେଇ ଯୁବତୀ ଜଣଙ୍କ ବିବାହ ପାଇଁ ଅଡ଼ିବସିବାରୁ ଅଭିଯୁକ୍ତ ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।

ଏପରିକି ମୋବାଇଲରେ ରଖିଥିବା ଯୁବତୀଙ୍କର କେତେକ ଫଟୋକୁ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣଙ୍କ ଯୁବତୀ କାର୍ଯ୍ୟ କରୁଥିବା ଏକ ଘରୋଇ ସଂସ୍ଥାକୁ ଯାଇ ଧମକ ଚମକ ଦେଇଥିଲେ। ପୀଡ଼ିତାଙ୍କ ପିତାଙ୍କ ଅଭିଯୋଗକ୍ରମେ ବାରିପଦା ଟାଉନ ଥାନାରେ ଆଇପିସି ଧାରା ୩୪୧, ୩୫୪, ୪୨୦, ୨୯୪, ୩୨୩, ୫୦୬, ଆର/ଡବ୍ଲ୍ୟୁ ସେକସନ ୬୬(ଡ଼ି)/୬୭ ଆଇଟି ଆକ୍ଟ ଅନୁସାରେ କେଶ ନମ୍ବର ୧୯୮/୨୦୨୧ ରୁଜୁ କରାଯାଇ ଅଭିଯୁକ୍ତକୁ  କୋର୍ଟ ଚାଲଣ କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ଏଥି ସହିତ ପୁଲିସ ଅଭିଯୁକ୍ତର ମୋବାଇଲ ଫୋନ, କମ୍ପ୍ୟୁଟର ହାର୍ଡଡିସ୍କ ଆଦି ଜବତ କରିଛି।

ସମ୍ବନ୍ଧିତ ଖବର