କୃଷ୍ଣ ବଗର୍ତ୍ତି ହତ୍ୟାକାଣ୍ଡ: ଗୁଣିଗାରେଡି ସନ୍ଦେହରେ କୁରାଢିରେ ହାଣିଥିଲେ, ମୁଖ୍ୟ ଅଭିଯୁକ୍ତ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଗେରୁପଡାରେ ଗତ ଅକ୍ଟୋବର ୩୦ ତାରିଖରେ ଦେଢଶୁର ଗାଁର କୃଷ୍ଣ ବଗର୍ତ୍ତି(୪୮)ଙ୍କୁ ହୋଇଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏଥିରେ ମୁଖ୍ୟ ଅଭିଯୁକ୍ତ ସିମନ କହଁରକୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ତା ପାଖରୁ ବ୍ୟବହୃତ କୁରାଢିକୁ ଜବତ କରାଯାଇଛି। ହେଲେ ସିମନର ସହଯୋଗୀ ହରିଶ କହଁର ଫେରାର ଅଛି।

ମୃତ କୃଷ୍ଣ ବିଭିନ୍ନ ଗାଁ ବୁଲି ଛୋଟ ପିଲାଙ୍କୁ ଝଡାଫୁଙ୍କା କରିଥାନ୍ତି। ବର୍ଷକ ପୂର୍ବେ ମୁଖ୍ୟ ଅଭିଯୁକ୍ତ ସିମନ ବଡଭାଇଙ୍କର ଛୋଟ ପୁଅର ମୃତ୍ୟୁ ହୋଇଥିଲା। ଗତ ଅକ୍ଟୋବର ୨୯ ତାରିଖରେ କୃଷ୍ଣ ଗେରୁପଡାକୁ ବନ୍ଧୁ ଘରକୁ ଆସିଥିଲେ। କାମସାରି ଘରକୁ ଫେରୁଥିବା ବେଳେ ଗାଁର ଏକ ଦୋକାନ ନିକଟରେ ତାଙ୍କ ସହ ସିମନର ଦେଖା ହୋଇଥିଲା। ଗୁଣିଗାରେଡି କରି ବଡଭାଇର ପୁଅକୁ କାହିଁକି ମାରି ଦେଲୁ ବୋଲି କୃଷ୍ଣକୁ ସିମନ କହିଥିଲା। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ତାପରେ ସିମନ ଉତ୍ୟକ୍ତ ହୋଇ ଏକ କୁରାଢି ଆଣି କୃଷ୍ଣଙ୍କ ବେକକୁ ହାଣିଥିଲା। ସିମନଙ୍କୁ ସେ ଗାଁର ହରିଶ ଏହି କାମରେ ସହଯୋଗ କରିଥିଲା। ଘଟଣା ଘଟାଇ ଦୁହେଁ ଗାଁ ଛାଡି ଫେରାର ହୋଇ ଯାଇଥିଲେ। ୩୦ ତାରିଖ ସକାଳେ କୃଷ୍ଣର ରକ୍ତ ଜୁଡୁବୁଡ ମୃତ ଦେହ ମିଳିବା ପରେ ଖବର ପାଇ ପୁଲିସ ପହଞ୍ଚି ଥିଲା। ପରିବାର ଲୋକ ପହଞ୍ଚି କୃଷ୍ଣକୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇ ଅଭିଯୁକ୍ତଙ୍କୁ ଧରିବା ନିମନ୍ତେ ତନଘନା ଚଳାଇଥିଲା। ଫେରାର ହରିଶକୁ ଖୁବ ଶୀଘ୍ର ଧରିବାରେ ସଫଳ ହେବୁ ବୋଲି ଥାନାଧିକାରୀ ଶ୍ୟାମସୁନ୍ଦର ରାଓ କହିଛନ୍ତି।

ସମ୍ବନ୍ଧିତ ଖବର