ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ଆମ୍ବଝରି ପଞ୍ଚାୟତ ନାଗପାଡାଡ ଜଙ୍ଗଲରୁ ଗତ ୮ତାରିଖରେ ଗଣ୍ଡିସର ଗାଁର ରୀନା କହଁର(୩୦) ନାମକ ମହିଳାଙ୍କ ଗଳିତ ଶବ ଝୁଲନ୍ତା ଅବସ୍ଥାରେ ଠାବ ହୋଇଥିଲା। ତେବେ ମହିଳା ଜଣକ ଆତ୍ମହତ୍ୟା କରି ନଥିଲେ ତାହା ଏକ ହତ୍ୟାକାଣ୍ଡ ବୋଲି ମଙ୍ଗଳବାର ବୌଦ୍ଧ ପୁଲିସ୍ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ବାଉଁଶୁଣି ଥାନା ମାନେଶ୍ବର ଗାଁର ଭାଗିରଥୀ ଲୁହା(୨୫)କୁ ଗିରଫ କରାଯାଇଥିବା ବେଳେ ମଙ୍ଗଳବାର ଦଫା ୩୦୨/୨୦୧ରେ କୋର୍ଟ ଚାଲାଣ ହୋଇଥିବା ଥାନାଅଧିକାରୀ ତପସ୍ବିନୀ କହଁର ସୂଚନା ଦେଇଛନ୍ତି।
ପୁଲିସ୍ର କହିବା ଅନୁସାରେ ମୃତ ମହିଳା(ରୀନା) ସହ ଅଭିଯୁକ୍ତ ଭାଗିରଥୀର ସଂପର୍କ ରହିଥିଲା। ଗତ ୧ତାରିଖ ଭାଗିରଥୀ ତାର ଅନ୍ୟ ଜଣେ ସହଯୋଗୀ ସୁଶାନ୍ତ ପ୍ରଧାନଙ୍କୁ ନେଇ ରୀନା ସହ ଦେଖା କରିବାକୁ ଗଣ୍ଡିସର ଗାଁକୁ ଯାଇଥିଲା। ନିକଟସ୍ଥ ନାଗପାହାଡ ଜଙ୍ଗଲକୁ ଭେଟିବା ପାଇଁ ଡକାଯାଇଥିଲା। ସେଠାରେ ରୀନା ପିନ୍ଧିଥିବା ଶାଢୀରେ ହିଁ ତାର ବେକ ଚିପି ହତ୍ୟା କରାଯାଇଛି। ତେବେ ଧରା ନପଡିବେ ବୋଲି ନିକଟ ଏକ କରଡା ଗଛରେ ଶବକୁ ଝୁଲାଇ ଆତ୍ମହତ୍ୟାର ରୂପ ଦିଆଯିବା ସହ ପ୍ରମାଣ ନଷ୍ଟ କରାଯାଇଥିଲା ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ଏହି ହତ୍ୟା ଘଟଣାରେ ସଂପୃକ୍ତ ମାନେଶ୍ବର ଗାଁର ଅଭିଯୁକ୍ତ ସୁଶାନ୍ତକୁ ମଧ୍ୟ ପୁଲିସ୍ ଗିରଫ କରିଥିବା ବେଳେ ବୁଧବାର କୋର୍ଟ ଚାଲାଣ ହେବ ବୋଲି ଜଣାଯାଇଛି। ଘଟଣାର ଦିନ ଅଭିଯୁକ୍ତ ବ୍ୟବହାର କରିଥିବା ହିରୋ ବାଇକ୍ ଓଡି ୩୧ଏଫ୍-୩୮୯୨ ଜବତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/a8a8e603-f717-4877-a29e-6f4cd6bffaa9.jpg)