ଚୌଦ୍ୱାର ଜେଲରେ କଏଦୀଙ୍କୁ ହତ୍ୟା ଅଭିଯୋଗ

କଟକ: କଟକସ୍ଥିତ ଚୌଦ୍ୱାର ଜେଲରେ ସୋମବାର ଜଣେ କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ କଏଦୀ ବିଡାନାସୀ ଥାନା ଅନ୍ତର୍ଗତ ତୁଳସୀପୁର ମଠସାହିର ରମେଶ ପ୍ରଧାନ ବୋଲି ଜଣାପଡ଼ିଛି।  ତେବେ ମୃତ କଏଦୀ ରମେଶ ପ୍ରଧାନଙ୍କ ବେକରେ ଗଭୀର ଆଘାତ ଲାଗିଥିବା ଦେଖି ମା’ ଉତ୍ତମ ପ୍ରଧାନ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି। ରମେଶଙ୍କ ମୃତଦେହକୁ କଟକସ୍ଥିତ ଏସ୍‌ସିବିରେ ରଖାଯାଇଛି।

ସୂଚନାଯୋଗ୍ୟ, ଅନ୍ୟ ଜଣେ କଏଦୀଙ୍କ ଆକ୍ରମଣରେ ରମେଶଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୨୦୧୧ ମସିହାରେ ରମେଶ ତାର ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ଚୌଦ୍ୱାର ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିଲା।

ଏହି ହତ୍ୟା ଘଟଣାକୁ ନେଇ ଜେଲ୍‌ ଏଡିଜି ମହେନ୍ଦ୍ର ପ୍ରତାପ ସୂଚନା ଦେଇ କହିଛନ୍ତି, ଏହା କୌଣସି ଗ୍ୟାଙ୍ଗଓ୍ଵାର ନୁହେଁ। ସାମାନ୍ୟ ବଚସାକୁ ନେଇ ରମେଶଙ୍କ ଉପରେ ଆକ୍ରମଣ ହୋଇଥିଲା। ୪୨ଜଣ କଏଦୀ ବଗିଚାରେ କାମ କରୁଥିବା ସମୟରେ ୨ଜଣ କଏଦୀଙ୍କ ମଧ୍ୟରେ କୌଣସି କାମକୁ ନେଇ ବଚସା ହୋଇଥିଲା। ଫଳରେ କଏଦୀ ଜଳଧର ସାମଲ କାମ କରୁଥିବା କୋଦାଳରେ ରମେଶ ଉପରକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ରମେଶ ଗୁରୁତର ହେବାରୁ ଚିକିତ୍ସା ପାଇଁ ତାକୁ ମେଡିକାଲ ନିଆଯାଇଥିଲା। ଡାକ୍ତର ସେଠାରେ ତାକୁ ମୃତ ବୋଲି ଘୋଷଣା କରିଥିଲେ। ଆକ୍ରମଣକାରୀ ଜଳଧର ସାମଲକୁ ପୁଲିସ ଗିରଫ କରିଛି। ଘଟଣାର ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯିଏ ଦାୟିତ୍ୱରେ ଅବହେଳା କରିଥିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଘଟଣା ପରେ ବନ୍ଦୀ ଓ କଏଦୀମାନଙ୍କ ପ୍ରତି ବେଶୀ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର