ଦେଢ଼ମାସର ପୁତ୍ରହନ୍ତା ପିଶାଚ ମା’ ଜେଲ ଗଲା, ପୁଲିସ ଆଗରେ ହତ୍ୟାର ଡେମୋ ଦେଖାଇଲା

ମାର୍ଶାଘାଇ: ସୋମବାର ଦେଢ଼ମାସର ଶିଶୁପୁତ୍ରକୁ ପରିତ୍ୟକ୍ତ ପାଣିଟାଙ୍କିରେ ପକାଇ ହତ୍ୟା କରିଥିବା ପିଶାଚ ମା’ ଲକ୍ଷ୍ମୀପ୍ରିୟା ପରିଡା(୨୫)କୁ ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ପୁଲିସ ୩୦୨ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ୍‌ ନ ମିଳିବାରୁ ଲକ୍ଷ୍ମୀପ୍ରିୟାକୁ ଜେଲ୍‌ ପଠାଇ ଦିଆଯାଇଛି। ଅପରପକ୍ଷରେ କୋର୍ଟ ଚାଲାଣ ପୂର୍ବରୁ ଲକ୍ଷ୍ମୀପ୍ରିୟା ପୁଲିସ ନିକଟରେ ହତ୍ୟାକାଣ୍ଡର ଡେମୋ ଦେଖାଇଛି।

ସୋମବାର ଘଟଣା ଘଟିବା ପରେ ପରେ ପୁଲିସ ମୃତ ଶିଶୁପୁତ୍ର ଆଦିତ୍ୟ ଓରଫ ଭାବଗ୍ରାହୀର ବାପା ସତ୍ୟରଞ୍ଜନ ପରିଡ଼ା ଓ ମା’ ଲକ୍ଷ୍ମୀପ୍ରିୟା ପରିଡ଼ାକୁ ଅଟକ ରଖି ପଚରାଉଚରା କରିଥିଲା। ପଚରାଉଚରା ବେଳେ ଲକ୍ଷ୍ମୀପ୍ରିୟା ପୁଲିସ ଆଗରେ ସବୁକଥା ମାନିଯାଇଥିଲା। କେତେବେଳେ ଓ କିପରି ଭାବରେ ସେ ନିଜ ଜନ୍ମିତ ଦେଢ଼ମାସର ଶିଶୁପୁତ୍ରକୁ ଶୋଇଥିବା ଅବସ୍ଥାରେ ବିଛଣାରୁ ଉଠାଇ ନେଇଥିଲା, ଏକ ଝୋଟଅଖାରେ ପଥର ପୁରାଇ ଶିଶୁପୁତ୍ରକୁ ରଖି ପାଣିଟାଙ୍କିରେ ପକାଇ ଦେଇଥିଲା, ପାଣିଟାଙ୍କିର ଘୋଡ଼ଣିକୁ ଘୋଡାଇ ଦେଇଥିଲା ଓ ଘରକୁ ଫେରି ପୁଣି ବିଛଣାରେ ଶୋଇଯାଇଥିଲା… ତାହାର ଡେମୋ ସେ ପୁଲିସକୁ ଦେଖାଇଥିଲା। ଏପରି ଏକ ଅଭାବନୀୟ ଲୋମଟାଙ୍କୁରା ଘଟଣାକୁ ସେ ଗତ ୨ତାରିଖ ରାତି ସାଢେ଼ ୨ଟା ସମୟରେ ରଚିଥିଲା। ଆଉ, କିଛି ନଜାଣିବା ପରି ବିଛଣାରେ ଶିଶୁପୁତ୍ରକୁ ନପାଇ ପରିବାର ଲୋକଙ୍କ ସହ ଖୋଜାଖୋଜି କରିଥିଲା ଓ ପରେ ପୁଲିସକୁ ପୁଅ ନିଖୋଜ ସଂପର୍କରେ ସେଇ ରାତିରେ ଖବର ଦେଇଥିଲା। ଖବର ମୁତାବକ, କାନପୁର ଗ୍ରାମର ବିଚିତ୍ରାନନ୍ଦ ପରିଡ଼ାଙ୍କ ସାନପୁଅ ସତ୍ୟରଞ୍ଜନ ପରିଡ଼ା ପାଟକୁରା ଥାନା ଅର୍ନ୍ତଗତ ମାଣିକପୁର ଗ୍ରାମର ହାଡ଼ିବନ୍ଧୁ ବେହେରାଙ୍କ ଝିଅ ଳକ୍ଷ୍ମୀପ୍ରିୟାକୁ ଗତ ୨୦୧୮ ନଭେମ୍ବର ୩ ତାରିଖରେ ପ୍ରେମ ବିବାହ କରିଥିଲେ। ଗତ ନଭେମ୍ବର ୯ ତାରିଖରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା। ଗତମାସରେ ଲକ୍ଷ୍ମୀପ୍ରିୟା ଏକାଧିକ ବାର ନିଜ ଘରକୁ ଯିବାକୁ ଚାହିଁଥିଲେ ବି ଶାଶୂଘର ଲୋକଙ୍କ ବିରୋଧ ଯୋଗୁଁ ଯାଇ ପାରୁ ନଥିଲା।

ଶିଶୁ ଜନ୍ମ ନେଇଥିବାରୁ, ଟିକେ ସୁସ୍ଥ ହୋଇଗଲେ ସେ ବାପଘରକୁ ଯିବ ବୋଲି ଶାଶୂଘର ଲୋକେ କହି ଆସୁଥିଲେ। ଏହାକୁ ନେଇ ସେ ଗତ ମାସକ ଭିତରେ ଏକାଧିକ ବାର ଜିଦ୍‌ କରି ଘରୁ ବାହାରିବାକୁ ଗୋଡ଼ ବି କାଢ଼ିଥିଲା। ଘଟଣା ଦିନ ରାତିରେ ଲକ୍ଷ୍ମୀପ୍ରିୟା ଶିଶୁପୁତ୍ରକୁ କୋଳରେ ଧରି ସ୍ବାମୀଙ୍କ ସହ ଖଟ ଉପରେ ଶୋଇଥିବା ବେଳେ ତଳେ ତା’ ଆଈଶାଶୂ ତାରାମଣି ପରିଡ଼ା ଓ ଶାଶୂ ରେବତୀ ପରିଡ଼ା ଶୋଇଥିଲେ। ଲକ୍ଷ୍ମୀପ୍ରିୟା ପୁଅକୁ କୋଳେଇ ଧୀରେ ଖଟ ଉପରୁ ଓହ୍ଲାଇ ତଳେ ଶୋଇଥିବା ତିନିଜଣଙ୍କୁ ସନ୍ତର୍ପଣରେ ଅତିକ୍ରମ କରି ଘର ବାହାରକୁ ଚାଲି ଆସିଥିଲା। ମା’ କୋଳରେ ଥିବାରୁ ଶିଶୁଟି ଉଷୁମ ପାଇ ଶୋଇଯାଇଥିଲା। ଝୋଟ ଅଖାଟିଏ ଆଣି ସେଥିରେ ପଥର ଖଣ୍ଡେ ଓ ଶିଶୁପୁତ୍ରକୁ ପୁରାଇଥିଲା। ସେହି ସମୟରେ ଟାଙ୍କିର ଘୋଡଣୀ କାଢ଼ି ପାଣି ଟାଙ୍କି ଭିତରକୁ ଅଖା ସହ ପୁଅକୁ ପକାଇ ଦେଇ ପଳାଇ ଆସିଥିଲା। ଟାଙ୍କି ଭିତରେ ପୁଅ ପାଣି ପିଇ ମୃତ୍ୟୁ ଘଟିଥିଲା, ଯାହା ଶବ ବ୍ୟବଛେଦ ରିପୋର୍ଟରୁ ମିଳିଥିବା ପୁଲିସ କହିଛି। କେଉଁ ପରିସ୍ଥିତିରେ ଦେଢ଼ମାସର ନିଷ୍ପାପ ଶିଶୁପୁତ୍ରକୁ ମାରିଲା ବୋଲି ପଚାରିବାରେ ଲକ୍ଷ୍ମୀପ୍ରିୟା କିଛି ଉତ୍ତର ଦେଇନି। ତେବେ ଅଭାବ ଯୋଗୁଁ ପ୍ରେମ ବିବାହରେ ବିଫଳତା ଓ ପାରିବାରିକ କଳହ ଏହାର କାରଣ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ଆଇଆଇସି ପଦୀପ୍ତ କୁମାର କାନୁନଗୋ କହିଛନ୍ତି। ନିଜେ ଜନ୍ମ କରିଥିବା ଦେଢ଼ମାସର ଶିଶୁପୁତ୍ରକୁ ମା’ ହତ୍ୟା କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର