ପାରଳାଖେମୁଣ୍ଡି : ବହୁ ଚର୍ଚ୍ଚିତ ଯୁବ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ଜଳିଯାଇ ମୃତ୍ୟୁ ଘଟଣାର ରହସ୍ୟ ଉପରୁ ପରଦା ହଟିନାହିଁ। କ୍ରାଇମବ୍ରାଞ୍ଚ୍‌ ପ୍ରଥମ ପର୍ଯ୍ୟନ୍ତ ତଦନ୍ତ ସାରି ପାରଳାଖେମୁଣ୍ଡି ଛାଡ଼ିଛି। ପ୍ରାୟ ୮ଦିନ ପାରଳାଖେମୁଣ୍ଡିରେ ରହି ତଦନ୍ତ କରିଥିବା କ୍ରାଇମବାଞ୍ଚ୍‌ ଟିମ୍ ଏହି ସମୟରେ ପାଇଥିବା ତଥ୍ୟକୁ ତର୍ଜମା କରୁଥିବା ସୂଚନା ମିଳିଛି। ଗତ ୧୪ ତାରିଖ ଦିନ ଡିଏସ୍‌ପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ବରେ କ୍ରାଇମବାଞ୍ଚ୍‌ର ୪ଜଣିଆ ଟିମ୍ ଆସି ୨୨ତାରିଖ ପର୍ୟ୍ୟନ୍ତ ପାରଳାଖେମୁଣ୍ଡିରେ ରହି ଛାନ୍‌ଭିନ୍ କରିଥିଲେ। ଘଟଣା ଘଟିଥିବା ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନକୁ ଫରେନ୍‌ସିକ୍‌ର ୯ ଜଣିଆ ଟିମ୍‌ ସହ ଯାଇ ତଦନ୍ତ କରିଥିଲେ। ପୂର୍ବରୁ ପୁଲିସ ତଦନ୍ତରୁ ମିଳିଥିବା ତଥ୍ୟର ପୁନଃତର୍ଜମା କରିଥିଲା କ୍ରାଇମବ୍ରାଞ୍ଚ। ଘଟଣାରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବା ସହଯୋଗୀ ବନ କର୍ମଚାରୀ, ଡାକ୍ତର ଓ ପରିବାର ପକ୍ଷରୁ ଅଭିଯୋଗ ଅଣା ଯାଇଥିବା ରୋଷେୟା ମନ୍ମଥ କୁମ୍ଭ, ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ଓ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ମଧ୍ୟ ମାରାଥନ୍‌ ଜେରା ହୋଇଥିଲା। ଏ ଭିତରେ ଜଣ ଜଣ କରି ୧୬ ଜଣଙ୍କୁ ଜେରା ସରିଥିବା ବେଳେ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ପାଇଥିବା କୁହାଯାଉଛି। ତେଣୁ ସେସବୁ ତଥ୍ୟକୁ ଏବେ ତଦନ୍ତକାରୀ ଦଳ ତର୍ଜମା କରୁଛି। ହେଲେ ସୌମ୍ୟଙ୍କ ବାପା ଦେଇଥିବା ଏତଲା ପ୍ରକାରେ କ୍ରାଇମବ୍ରାଞ୍ଚ୍‌ ଏ ପର୍ୟ୍ୟନ୍ତ ବିଦ୍ୟାଭାରତୀଙ୍କୁ ଛାଡ଼ି ସମସ୍ତଙ୍କୁ ଜେରା କରିସାରିଛି। ତେଣୁ ବିଦ୍ୟାଭାରତୀଙ୍କ ନିକଟରେ ପହଞ୍ଚି ଜେରା କରିବା ପାଇଁ କ୍ରାଇମବ୍ରାଞ୍ଚ ସଜବାଜ ହେଉଥିବା କୁହାଯାଉଛି।

Advertisment

ଜୁଲାଇ ୧୨ ଘଟଣା ପରେ ତତ୍କାଳୀନ ଗଜପତି ଏସ୍‌.ପି ତପନ କୁମାର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଏବ˚ କ୍ରାଇମବ୍ରାଞ୍ଚ୍‌ ସହଯୋଗରେ ତଦନ୍ତକାରୀ ଦଳର ନେତୃତ୍ବ ନେଇଥିଲେ ପାରଳାଖେମୁଣ୍ତି ଥାନାଧିକାରୀ ବିବେକାନନ୍ଦ ସ୍ବାଇଁ। ଏକ ମାସ ଧରି ଏହି ଯୁଗ୍ମ ତଦନ୍ତକାରୀ ଦଳ ବିଭିନ୍ନ ଜିଲ୍ଲା ଗସ୍ତ କରି ତଦନ୍ତ କରିଥିବା ବେଳେ ସୌମ୍ୟରଞ୍ଜନଙ୍କ ପରିବାର ଏହା ଉପରେ ଅସନ୍ତୋଷ ଜାହିର କରି ଏହି ସ˚ପର୍କରେ ସେମାନେ ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରାଳୟକୁ ଅବଗତ କରିଥିଲେ। ଏହା ପରେ ମାମଲା କ୍ରାଇମବ୍ରାଞ୍ଚ୍‌କୁ ହସ୍ତାନ୍ତର କରାଗଲା। କ୍ରାଇମବ୍ରାଞ୍ଚ୍‌ ପୁନର୍ବାର ଘଟଣା ସହ ସ˚ପୃକ୍ତ ଥିବା ସାକ୍ଷୀ ଏବ˚ ବ୍ୟକ୍ତିଙ୍କୁ ପାରଳାଖେମୁଣ୍ତିରେ ପଚରାଉଚରା କରିବା ବେଳେ କେବଳ ଦୁଇଟି ନୂଆ ତଥ୍ୟ ପଦାକୁ ଆସିଥିଲା। ସୌମ୍ୟ ଜଳିଯିବା ବେଳେ ଡିଏଫ୍‌ଓଙ୍କ ଘରେ ଡିନର୍‌ ନିମନ୍ତ୍ରଣ ପାଇ ଗଜପତି ଜିଲ୍ଲାପାଳ ଲି˚ଗରାଜ ପଣ୍ତା ଓ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ ଏବ˚ ଦ୍ବିତୀୟଟି ହେଲା, ଗଜପତି ଡିଏଫ୍‌ଓ ମେଡିକାଲରେ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ନିଆଯିବା ସମୟରେ ଡାକ୍ତରଖାନାରେ ଉପସ୍ଥିତ ଥିଲେ। କ୍ରାଇମବ୍ରାଞ୍ଚ୍‌ ବର୍ତ୍ତମାନ ବିଦ୍ୟାଭାରତୀଙ୍କୁ ଜେରା କରିବ ଓ ଏହା କ୍ରାଇମ୍‌ବ୍ରାଞ୍ଚ୍‌ ମୁଖ୍ୟାଳୟରେ ହେବ ନା ବିଦ୍ୟାଭାରତୀଙ୍କ ବାରିପଦା ନିକଟସ୍ଥ ବାପା ଘରେ ହେବ ସେ ବିଷୟରେ କିଛି ତଥ୍ୟ ମିଳିନାହିଁ। ମୋଟାମୋଟି ଭାବେ ଏହି ରହସ୍ୟଜନକ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିଲା ନାହିଁ। ପୁଲିସ ତଦନ୍ତ ଖିଅ ଯେଉଁଠି ଛାଡ଼ିଥିଲା ଏବେ କ୍ରାଇମବ୍ରାଞ୍ଚ ସେହି ଖିଅକୁ ଧରିବାକୁ ଉଦ୍ୟମ କରିଥିବା ବେଳେ ତଦନ୍ତର ୮ ଦିନ ପରେ ବି ସେମିତି କିଛି ଆଖିଦୃଶିଆ ତଥ୍ୟ ହାସଲ କରିଥିବା ଅନୁମାନ କରାଯାଉ ନାହିଁ। ପୂର୍ବରୁ ତଦନ୍ତ ଦାୟିତ୍ବ ନେଇଥିବା ପାରଳାଖେମୁଣ୍ଡି ଥାନା ପୁଲିସ ପ୍ରାୟ ୩୨ଦିନ ଧରି ତଦନ୍ତ କରିଥିଲେ ବି ଘଟଣା ଉପରୁ ପରଦା ହଟାଇବାରେ ସକ୍ଷମ ହୋଇ ନଥିଲା। ଏବେ ଦ୍ବିତୀୟ ପର୍ୟ୍ୟାୟ ତଦନ୍ତ ଦାୟିତ୍ବ ନେଇଥିବା କ୍ରାଇମବ୍ରାଞ୍ଚ୍‌ ଟିମ୍ କୌଣସି ନିର୍ୟ୍ୟାସରେ ପହଞ୍ଚି ପାରିନି। ଅନ୍ୟପଟେ ଡିଏଫ୍‌ଓଙ୍କୁ ଜେରା ପରେ କ୍ରାଇମବ୍ରାଞ୍ଚ ଲାଏ ଡିକ୍ଟେକ୍ସନ୍‌ ଟେଷ୍ଟ୍‌ର ସହାୟତା ନେବ ବୋଲି କହିଥିବା ବେଳେ କଟକ ଫେରି ଯାଇଥିବା ଟିମ୍‌ର ତଦନ୍ତର ଗତି କେଉଁ ଆଡ଼କୁ ଯାଉଛି, ତାହାକୁ ଅପେକ୍ଷା କରାଯାଇଛି।