ନୂଆଦିଲ୍ଲୀ: ଜିଏସ୍ଟି ପରିଷଦ ଏହାର ଆସନ୍ତା ବୈଠକରେ ଦେଶର ମହିଳାମାନଙ୍କୁ ଖୁସି କରିବା ଭଳି କେତୋଟି ପଦକ୍ଷେପ ନେବା ସମ୍ଭାବନା ରହିଛି। ବିଶେଷକରି ଓ୍ଵାସିଂ ମେସିନ୍, ଏୟାର କଣ୍ଡିସନର୍(ଏସି) ଏବଂ ରେଫ୍ରିଜରେଟର ବା ଫ୍ରିଜ୍ ଉପରୁ ଜିଏସ୍ଟି ହାରକୁ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯିବା ସମ୍ଭାବନା ରହିଥିବାରୁ ଏହି ଆଶା କରାଯାଉଛି। ଏହାହେଲେ ଦେଶରେ ଓ୍ଵାସିଂ ମେସିନ୍, ଏସି ଏବଂ ରେଫ୍ରିଜରେଟରର ମୂଲ୍ୟ ଶସ୍ତା ହେବ।
ଗତ ମାସରେ ଅନୁଷ୍ଠିତ ପରିଷଦର ୨୩ତମ ବୈଠକରେ ୨୮ ପ୍ରତିଶତ ଜିଏସ୍ଟି ବର୍ଗରେ ରହିଥିବା ୧୭୮ଟି ସାମଗ୍ରୀକୁ ୧୮ ପ୍ରତିଶତ ବର୍ଗକୁ କମାଇ ଦିଆଯାଇଥିଲା। ଏତଦ୍ବ୍ୟତୀତ ଶୀତତାପ ନିୟନ୍ତ୍ରିତ ଏବଂ ଅଣ ଶୀତତାପ ନିୟନ୍ତ୍ରିତ ରେସ୍ତୋରାଁ ଗୁଡ଼ିକର ଜିଏସ୍ଟି ହାରକୁ ମଧ୍ୟ ଯଥାକ୍ରମେ ୧୮ ଓ ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଇ ଦିଆଯାଇଛି। ଚଳିତମାସ ୧୫ ତାରିଖରୁ ଏସବୁକୁ କାର୍ଯ୍ୟକାରୀ କରାଯାଇଛି।
ତେବେ ୨୮ ପ୍ରତିଶତ ଜିଏସ୍ଟି ବର୍ଗରେ କେବଳ ବିଳାସପୂର୍ଣ୍ଣ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ସାମଗ୍ରୀ ଗୁଡ଼ିକୁ ରଖାଯିବ ବୋଲି ଆଭାସ ମିଳିଛି। ତେଣୁ ଏସି, ରେଫ୍ରିଜରେଟର ଏବଂ ଓ୍ଵାସିଂ ମେସିନ୍ ଭଳି ହ୍ଵାଇଟ୍ ଗୁଡ୍ସକୁ ୧୮ ପ୍ରତିଶତ ବର୍ଗକୁ କମାଇ ଦିଆଯିବ ବୋଲି ଅନୁମାନ କରାଯାଉଛି।
ଜିଏସ୍ଟିରେ ଗୋଟିଏ ଟିକସ ହାର ଲାଗୁ କରିବା ପାଇଁ ହେଉଥିବା ଦାବିକୁ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଜିଏସ୍ଟି ପରିଷଦର ଅଧ୍ୟକ୍ଷ ଅରୁଣ ଜେଟ୍ଲି ଖଣ୍ଡନ କରିସାରିଛନ୍ତି। ସେ କହିଛନ୍ତି ଯେ, ଆବଶ୍ୟକତା ଅନୁଯାୟୀ ଜିଏସ୍ଟିର କେଉଁ ଟିକସ ବର୍ଗରେ କେଉଁ ସାମଗ୍ରୀ ରହିବ ସେ ପ୍ରକ୍ରିୟା ଜାରି ରହିବ। ଏଥିସହିତ ପଦ୍ଧତିଗତ ସରଳୀକରଣ ମଧ୍ୟ ଅବ୍ୟାହତ ରହିବ।
ଜେଟ୍ଲିଙ୍କ ଏହି ମନ୍ତବ୍ୟରୁ ଏହା ପ୍ରତୀୟମାନ ହେଉଛି ଯେ ୨୮ ପ୍ରତିଶତ ଜିଏସ୍ଟି ବର୍ଗରୁ ଆଉ କିଛି ସାମଗ୍ରୀକୁ ବାଦ୍ ଦିଆଯାଇପାରେ। ଏଥିରେ ଓ୍ଵାସିଂ ମେସିନ୍, ରେଫ୍ରିଜରେଟର ଏବଂ ଏସି ଆଦି ରହିପାରେ। ଡିସ୍ ଓ୍ଵାସର ଏବଂ ଓ୍ଵାସିଂ ମେସିନ୍ ଭଳି ସାମଗ୍ରୀ ମହିଳାଙ୍କ କାର୍ଯ୍ୟକୁ କମ୍ କରିଥାଏ ବୋଲି ଅନ୍ତର୍ଜାତୀୟ ସ୍ତରରେ ବିବେଚନା କରାଯାଏ। ହାତରେ ବାସନ ମାଜିବା ଏବଂ ଲୁଗାପଟା ସଫା କରିବା ଯୋଗୁଁ ଘରେ ସ୍ତ୍ରୀଲୋକମାନଙ୍କର ଅଧିକ ସମୟ ଖର୍ଚ ହୋଇଥାଏ। ଫଳରେ ମହିଳାମାନେ ପରିବାରକୁ ଆର୍ଥିକ ଲାଭ ପହଞ୍ଚାଇବା ଭଳି ଅନ୍ୟ କାର୍ଯ୍ୟ କରିବା ଲାଗି କମ୍ ସମୟ ପାଇଥା’ନ୍ତି। ତେଣୁ ଏସବୁ ସାମଗ୍ରୀର ଟିକସ କମିଲେ ମହିଳାମାନେ ଏଗୁଡ଼ିକୁ କିଣିବାକୁ ସକ୍ଷମ ହେବେ। ଏତଦ୍ବ୍ୟତୀତ ଭାରତକୁ ଡିସ୍ ଓ୍ଵାସର ମୁଖ୍ୟତଃ ଦକ୍ଷିଣ କୋରିଆ ଓ ଅନ୍ୟାନ୍ୟ ଦେଶରୁ ଆମଦାନି କରିଥାନ୍ତି। ଜିଏସ୍ଟିକୁ କମାଇ ଦିଆଗଲେ ଭାରତରେ କମ୍ପାନି ଗୁଡ଼ିକ ଡିସ୍ ଓ୍ଵାସର ଉତ୍ପାଦନ ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ସରକାର ଆଶା ରଖିଛନ୍ତି।
ଗୁଜରାଟ ନିର୍ବାଚନ ଥିବାରୁ ଜିଏସ୍ଟି ପରିଷଦକୁ ଯେଉଁସବୁ ଲୋକାଭିମୁଖୀ ପ୍ରସ୍ତାବ ଆସୁଛି ସରକାର ତାହାକୁ କାର୍ଯ୍ୟକାରୀ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ଆଗାମୀ ବୈଠକରେ ଏସବୁ ସାମଗ୍ରୀର ଜିଏସ୍ଟି ହ୍ରାସ ପାଇବର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ଆଶାବ୍ୟକ୍ତ କରିଛନ୍ତି।
ଚଳିତବର୍ଷ ଜୁଲାଇ ପହିଲାରୁ ଦେଶରେ ଜିଏସ୍ଟି କାର୍ଯ୍ୟକାରୀ ହେଉଛି। ଜିଏସ୍ଟିରେ କିଛି ସାମଗ୍ରୀକୁ ଟିକସ ପରିସରରୁ ବାଦ୍ ଦିଆଯାଇ ଥିବାବେଳେ ଅନ୍ୟ ସାମଗ୍ରୀ ଓ ସେବାକୁ ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ ସାମଗ୍ରୀ ବର୍ଗରେ ରଖାଯାଇଛି। ଏତଦ୍ବ୍ୟତୀତ ୨୮ ପ୍ରତିଶତ ଟିକସ ବାଦ୍ ବିଳାସପୂର୍ଣ୍ଣ ସାମଗ୍ରୀ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ସାମଗ୍ରୀ ଉପରୁ ସରକାର ସେସ୍ ଆଦାୟ କରୁଛନ୍ତି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର