ଦୃଷ୍ଟି ଆଢ଼ୁଆଳରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ,ଟିଣ ଆଜ୍‌ବେଷ୍ଟସ୍‌ ତଳେ ପୂଜା ପାଉଛନ୍ତି ପ୍ରଭୁ

ନେମାଳ: ରାଜ୍ୟର ବିଭିନ୍ନ ଦେବାଦେବୀ ଓ ଐତିହାସିକ ପୀଠର ବିକାଶ ଏବଂ ଏହାର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ, ନିଶ୍ଚିନ୍ତକୋଇଲି ବ୍ଲକ୍‌ ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପ୍ରସିଦ୍ଧ ପୀଠ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିବା ଅଭିଯୋଗ ହେଉଛି। ଏହି ଐତିହାସିକ ପୀଠ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ରାଜ୍ୟ ଦେବୋତ୍ତର ବିଭାଗ ଏହି ପୀଠକୁ ହାତକୁ ନେଇଥିଲେ ମଧ୍ୟ ବର୍ତ୍ତମାନସୁଦ୍ଧା ଏଠାରେ କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ଦେଖିବାକୁ ମିଳିନାହିଁ ବୋଲି ସେବାୟତ ଓ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ୧୨ ମାସରେ ତେରପର୍ବ ପାଳନ କରାଯାଏ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରତ୍ୟହ ହଜାରହଜାର ଶ୍ରଦ୍ଧାଳୁ ମହାପୁରୁଷଙ୍କ ଦର୍ଶନ କରିବା ପାଇଁ ଆସିଥା’ନ୍ତି। ହେଲେ, ସେମାନଙ୍କ ପାଇଁ ପୀଠରେ କୌଣସି ସୁବ୍ୟବସ୍ଥା କରାଯାଇ ନାହିଁ। ଫଳରେ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରୁଥିବା ଦେଖାଯାଏ। ଏହି ପୀଠରେ ବହୁବର୍ଷ ଧରି ପ୍ରଭୁ ଟିଣ ଆଜବେଷ୍ଟସ୍‌ ତଳେ ରହି ପୂଜା ପାଉଛନ୍ତି। ସରକାରୀ ଅନୁଦାନ ନ ମିଳିବାରୁ ପୀଠରେ ପୂଜା ପାଉଥିବା ଶ୍ରୀଶ୍ରୀଗୋପୀନାଥଜିଉ ଓ ଅନ୍ୟ ପାର୍ଶ୍ବଦେବତା ମଧ୍ୟ ଅବହେଳିତ ଅବସ୍ଥାରେ ପଡ଼ି ରହିଛନ୍ତି। ଗୋଟିଏ ନଳକୂପରେ ପ୍ରଭୁ ଓ ଭକ୍ତ ନିର୍ଭର କରନ୍ତି। ପୀଠକୁ ସଂଯୋଗ କରିଥିବା ସମସ୍ତ ରାସ୍ତା ଜବରଦଖଲ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏଥିଯୋଗୁଁ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ହଇରାଣହରକତ ହୁଅନ୍ତି। ଶ୍ରଦ୍ଧାଳୁମାନଙ୍କ ରହଣି ପାଇଁ ସୁବ୍ୟବସ୍ଥା ମଧ୍ୟ ନ ଥିବା ଜଣାଯାଇଛି।

ଅପରପକ୍ଷରେ ଭବିଷ୍ୟତ ମାଳିକା ଓ ଓଡ଼ିଆ ସାହିତ୍ୟକୁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଅବଦାନ ଅତୁଳନୀୟ। ଏହାର ଗବେଷଣା ପାଇଁ ରାଜ୍ୟ ତଥା ଓଡ଼ିଶା ବାହାରୁ ବହୁ ସଂଖ୍ୟାରେ ଗବେଷକ ପୀଠକୁ ଆସନ୍ତି। ହେଲେ, ଏଠାରେ ଗବେଷକମାନେ ମହାପୁରୁଷଙ୍କ ପୋଥି ପୁରାଣ ସମ୍ପର୍କରେ ଗବେଷଣା କରିବା କଷ୍ଟକର ହୋଇପଡ଼ୁଛି। ମହାପୁରୁଷଙ୍କ ଭବିଷ୍ୟତ ମାଳିକାକୁ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ଚର୍ଚ୍ଚା ଲାଗି ରହୁଥିଲା ବେଳେ ପ୍ରଭୁଙ୍କର ବହୁ ପୋଥିପୁରାଣ ବିଭିନ୍ନ ପ୍ରାନ୍ତରେ ବିଲୁପ୍ତ ଅବସ୍ଥାରେ ପଡ଼ିରହିଛି। ଏହାର ପୁନରୁଦ୍ଧାର, ମନ୍ଦିର ଓ ରୋଷଘର ନିର୍ମାଣ, ଭିତ୍ତିଭୂମିର ବିକାଶ ଆଦି ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି। ମାତ୍ର କରୋନା ମହାମାରୀ ପାଇଁ ଦୁଇବର୍ଷ ଧରି ପବିତ୍ର ଦେବସ୍ନାନ ଯାତ୍ରା ସମେତ ପ୍ରଭୁଙ୍କ ବିଭିନ୍ନ ପର୍ବପର୍ବାଣୀ ବନ୍ଦ ରହିବାରୁ ପୀଠର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏଥିପ୍ରତି ୫-ଟି ସଚିବ ଦୃଷ୍ଟି ଦେବା ସହ ପୀଠ ପରିଦର୍ଶନ କରି ଆବଶ୍ୟକ ସହାୟତା ଯୋଗାଇଦେବାକୁ ଅଚ୍ୟୁତପ୍ରେମୀ ଭକ୍ତମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର