ନୂଆପଡ଼ା: ଲଖନା ଥାନା ଅନ୍ତର୍ଗତ ବଙ୍ଗାମୁଣ୍ଡା ଗ୍ରାମର ଆଲୋକ ସାହୁ(୨୧) ଜଣେ ଯୁବକଙ୍କ ସହିତ ଗୁରୁବାର ରାତି ଘରକୁ ଫେରୁଥିବା ବେଲେ କିଛି ବ୍ୟକ୍ତି ଏସିଡ଼ ଆକ୍ରମଣ କରିଛନ୍ତି। ଆଲୋକଙ୍କୁ ଏସିଡ଼ି ମାଡ଼ ସହ ଛୁରାମାଡ଼ ଓ ଠେଙ୍ଗାରେ ମଧ୍ୟ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ତାଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଲୋକଙ୍କ ଶରୀରର ଅଧିକାଂଶ ସ୍ଥାନ ଜଳି ନଷ୍ଟ ହୋଇଯାଇଥିବା ଜଣାପଡିଛି। ପ୍ରେମ ସଂର୍ପକକୁ କେନ୍ଦ୍ର କରି ଏହି ଏସିଡ଼ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।
ଖବର ନେବାରୁ ଜଣାପଡ଼ିଛି ଯେ, ଚଳିତ ମାସ ୧୦ ତାରିଖରେ ବଙ୍ଗାମୁଣ୍ଡା ଗ୍ରାମର ଯୁବକ ଆଲୋକଙ୍କ ବିବାହ ହେବାର ଥିଲା। ସେଥିପାଇଁ ଆଲୋକ ଓ ଅନିଲ ସାହୁ ଦୁଇ ଜଣ ଏକ ବାଇକରେ ଲାଠୋର ଯାଇ ବନ୍ଦନା ଭିଡିଓ ସୁଟିଙ୍ଗକୁ ଅଗ୍ରୀମ ଟଙ୍କା ଦେବାକୁ ଯାଇଥିଲେ। ଆଜି ରାତି ୮ଟାରେ ଘରକୁ ଫେରୁଥିବା ବେଳେ ବଙ୍ଗାମୁଣ୍ଡା ଓ ଲଖାନା ମଝିରେ ଥିବା ପୋଖରୀ ପାଖରେ ଅନିଲ ସାହୁ ଶୌଚ ପାଇଁ ଯାଇଥିଲେ। ଏହି ସମରେ ୮ରୁ ୧୦ ଜଣ ଯୁବକ ଆସି ଆଲୋକ ସାହୁକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ଆଲୋକ ଫୋନରେ କଥାବାର୍ତ୍ତା କରୁଥିଲେ। ଅଭିଯୁକ୍ତମାନେ ଆଲୋକକୁ ଛୁରୀ ଓ ଠେଙ୍ଗାରେ ଅକ୍ରମଣ କରିଥିବା ବେଳେ ଦେହରେ ଏସିଡ଼ ଢାଲି ଦେଇଥିଲେ। ଯାହା ଫଳରେ ଯୁବକର ଦେହ ସଂପୂର୍ଣ୍ଣ ଜଳିଯାଇଛି।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଛି। ନୂଆପଡ଼ା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ, ନୂଆପଡ଼ା ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼, ଲଖାନା ଥାନା ଅଧିକାରି ତପନ ଦାସ ଆଦି ଆଲୋକଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ପ୍ରେମ ସଂର୍ପକକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Nuapara.jpg)