ରାୟଗଡ଼ା: ପଥର ସୈରାତକୁ ମିଳୁନି ପରିବେଶ ବିଭାଗର ମଞ୍ଜୁରୀ। ଦୀର୍ଘ ଦିନ ଧରି ଜିଲ୍ଲାର ୪୫ ସୈରାତର ଆବେଦନ ସିଆ (ଷ୍ଟେଟ୍ ଏନଭାଓରେନମେଣ୍ଟ୍ ଇମ୍ପାକ୍ଟ ଆସେସମେଣ୍ଟ୍ ଅଥରିଟ୍) ପାଖରେ ପଡ଼ି ରହିଛି। ଫଳରେ ଏହି ସବୁ ସୈରାତକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଗୁଣପୁର ଓକିଲଗୁଡ଼ା ପଥର ଖାଦାନ ଘଟଣାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଖୋଳତାଡ଼ କରିବା ପରେ ଏହି ସବୁ ତଥ୍ୟ ପଦାକୁ ଆସିଛି। ପ୍ରାଥମିକ ପର୍ଯ୍ୟାୟରେ ଗୁଣପୁର ତହସିଲରେ ପରିବେଶ ମଞ୍ଜୁରୀ ନଥିବା ସମସ୍ତ ଖାଦାନାକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା ସହ ବୋର୍ଡ ଲଗାଇଛି ପ୍ରଶାସନ। ସେହିପରି ଗତ ଦୁଇ ଦିନରେ ରାୟଗଡ଼ା ତହସିଲ ମାଳିଗାଁ ସର୍କଲର ୪ଟି ସୈରାତ, କାରୁବାଇ ସର୍କଲର ଗୋଟିଏ ସୈରାତ ଏବଂ କୋଲନରା ତହସିଲର ୩ଟି ସୈରାତକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ପ୍ରଶାସନ।
ଆଗାମୀ ଦିନରେ ବିନା ପରିବେଶ ମଞ୍ଜୁରୀରେ ଚାଲିଥିବା ଅନ୍ୟ ସୈରାତ ଗୁଡ଼ିକୁ ବନ୍ଦ କରାଯିବା ସହ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା। ମିଳିଥିବା ସୂଚନାନୁଯାୟୀ, ଜିଲ୍ଲାରେ ୯୩ଟି ସୈରାତ ରହିଛି। ସେଥି ମଧ୍ୟରୁ ୪୮ଟିର ଲିଜ୍ ଏଗ୍ରିମେଣ୍ଟ୍ ଶେଷ ହୋଇଥିବା ବେଳେ ୪୫ଟି ପରିବେଶ ବିଭାଗ ନିକଟରେ ପଡ଼ି ରହିଛି। ଲିଜଧାରୀ ବାରମ୍ବାର ଆବେଦନ ପରେ ମଧ୍ୟ ମଞ୍ଜୁରୀ ମିଳୁନଥିବା ବେଳେ ଏପଟେ ଲିଜଧାରୀ ବେଆଇନ ଭାବେ ସୈରାତରୁ ପଥର ଖନନ ଜାରି ରଖିଛନ୍ତି। ଯେଉଁଥି ପାଇଁ ଗୁଣପୁର ତହସିଲର ଓକିଲଗୁଡ଼ାରେ ଅକାଳରେ ୩ ଶ୍ରମିକଙ୍କ ଜୀବନ ଚାଲିଗଲା।
ଓକିଲଗୁଡ଼ା ଘଟଣା ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳଙ୍କୁ ସୈରାତ ସ୍ଥିତି ସଂପର୍କରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ସହ ବେଆଇନ ସୈରାତ ଚଲାଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଓକିଲଗୁଡ଼ା ଘଟଣାରେ ବିଭାଗ ଗୁଣପୁର ତହସିଲ ଅଧିକାରୀଙ୍କ ବିରୁଦ୍ଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ, ରାଜସ୍ବ ନୀରିକ୍ଷକ ଅନୁପ କୁମାର ମାର୍ଥା, ରାଜସ୍ବ ସୁପରଭାଇଜର ଶରତ ଚନ୍ଦ୍ର ଆନନ୍ଦଙ୍କୁ ସସପେଣ୍ଡ କରାଯାଇଛି। ସେହିପରି ସଦର ରାଜସ୍ବ ନୀରିକ୍ଷକ ସନ୍ତୋଷ କୁମାର ପଣ୍ଡାଙ୍କୁ କାଶୀପୁର, ସହକାରୀ ରାଜସ୍ବ ନୀରିକ୍ଷକ ସନ୍ତୋଷ କୁମାର ଦାଶଙ୍କୁ ମୁନିଗୁଡା ତହସିଲକୁ ବଦଳି ହୋଇଛି। ଗୁଣପୁର ଅତିରିକ୍ତ ତହସିଲଦାର କୁଶ ଗରଡାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା ବେଳେ ଉତ୍ତର ସନ୍ତୋଷଜନକ ନ ହେବା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/RGD_Stone-Quarry-Notice-Board.jpg)