ସମିତି ସଭ୍ୟଙ୍କୁ ଟାଣି ଟାଣି ନେବା ଘଟଣା: ଦୋଷୀଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଜନ ପ୍ରତିନିଧି

ସମ୍ବଲପୁର: ଯୁଯୁମୁରା ବ୍ଲକ୍‌ ଲିପିଣ୍ଡା ପଞ୍ଚାୟତର ସମିତି ସଭ୍ୟ ନୃପଶେଖର ବେହେରାଙ୍କୁ ପୁଲିସ୍‌ ଓ ବନବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍‌ ତଣ୍ଟି ଧରି ଟାଣି ଟାଣି ନେବା ଘଟଣା ସମସ୍ତ ଜନପ୍ରତିନିଧିଙ୍କୁ କ୍ଷୁବ୍‌ଧ କରିଛି। ଗୁରୁବାର ଯୁଯୁମୁରା ବ୍ଲକ୍‌ର ଜନପ୍ରତିନିଧି ଗଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏହାର ପ୍ରତିବାଦ କରିବା ସହ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଯୁଯୁମୁରା ବ୍ଲକ୍‌ ଅଧ୍ୟକ୍ଷା ମମତା ନାୟକ, ଉପାଧ୍ୟକ୍ଷା ମନ୍ଦାକିନି ବିଶ୍ବାଳ, ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଧା, କଂସର ସରପଞ୍ଚ ଦିବାକର ବେହେରା ଏବଂ ନିଜେ ଲିପିଣ୍ଡା ସମିତି ସଭ୍ୟ ନୃପଶେଖର କୁମୁରା ପ୍ରମୁଖ ଜିଲ୍ଲାପାଳଙ୍କୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଗତ ୨୩ ତାରିଖ ଶନିବାର ଦିନ ବନ ବିଭାଗ ଓ ପୁଲିସ୍‌ ଟିମ୍ ଭୋଇପାଲି ଗ୍ରାମକୁ ଯାଇ ଗାଁର ବିଡି କାରିଗର ମାନଙ୍କ ସହ ବଚସା କରୁଥିଲା। ଖବର ପାଇ ଲିପିଣ୍ଡା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀ କୁମୁରା ସେଠାରେ ପହଞ୍ଚି କଣ ସମସ୍ୟା ହୋଇଛି ଜାଣିବାକୁ ଚାହିଁଥିଲେ। ଏହି ସମୟରେ ଉଭୟ ବିଭାଗ କର୍ମଚାରୀ କୌଣସି ସମାଧାନ ନକରି ସେଠାରୁ ଚାଲିଯିବାକୁ ଚାହିଁଥିଲେ।

ସମିତି ସଭ୍ୟ ଶ୍ରୀ କୁମୁରା ସେମାନଙ୍କ ପ୍ରତିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କର୍ମଚାରୀମାନେ ଶ୍ରୀ କୁମୁରାଙ୍କୁ ଠେଲାପେଲା କରିବା ସହ ତାଙ୍କ ବେକକୁ ଧରି ଟାଣି ଟାଣି ନେଇ ଗାଡ଼ିରେ ବସାଇବାକୁ ଉଦ୍ୟମ କରିଥିଲେ। ଗ୍ରାମବାସୀ ଏହାର ପ୍ରତିରୋଧ ବି କରିଥିଲେ। ଗଳାଧରି ‌ଭିଡ଼ି ନେବା ଦ୍ବାରା କୁମୁରା ଆହତ ହେବା ସହ ବେକରେ ଭୀଷଣ ଯନ୍ତ୍ରଣା ଭୋଗୁଛନ୍ତି ଓ ଏବେ ଚିକିତ୍ସିତ ହେଉଛନ୍ତି। ସରକାରୀ କର୍ମଚାରୀଙ୍କ ଏହି ନିନ୍ଦନୀୟ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ୧୫ ଦିନ ମଧ୍ୟରେ ଦଣ୍ଡବିଧାନ କରିବାକୁ ସେମାନେ ଜିଲ୍ଲାପାଳଙ୍କଠାରେ ଦାବି କରିଛନ୍ତି। ନଚେତ ପରିସ୍ଥିତି ଭୟାବହ ହେବ ବୋଲି ବି ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଉକ୍ତ ଦିନ ଅପରାହ୍‌ଣରେ ବନ ବିଭାଗ ଟିମ୍ ଭୋଇପାଲି ଗାଁରେ ଚଢ଼ଉ କରି ଲୋକଙ୍କଠାରୁ ୧୧୨ ବିଡ଼ା କେନ୍ଦୁପତ୍ର ଜବତ କରିଥିଲେ। ସେଠାରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଗ୍ରାମବାସୀ ବନ କର୍ମଚାରୀ ଓ ୨ଟି ଗାଡ଼ିକୁ ଅଟକ ରଖିଥିଲେ। ଖବର ପାଇ ସଦର ରେଂଜର ପବିତ୍ର ମାଝି, ଯୁଯୁମୁରା ପୁଲିସ୍ ସହ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସେମାନେ କର୍ମଚାରୀ ଓ ଗାଡ଼ି ଛାଡ଼ିଥିଲେ। ଏହି ସମୟରେ ସେଠାରେ ସମାଧାନ ପାଇଁ ପହଞ୍ଚିଥିବା ସମିତି ସଭ୍ୟ ଶ୍ରୀ କୁମୁରା ବନ ଓ ପୁଲିସ୍ କର୍ମଚାରୀ ଆକ୍ରୋଶର ଶିକାର ହୋଇଥିଲେ। ତାଙ୍କୁ ଟାଣି ଟାଣି ନେବାର ଭିଡିଓ ଭାଇରାଲ୍ ହୋଇଥିଲା। ଏହି ଘଟଣାରେ ଗ୍ରାମବାସୀ ଗତ ୨୫ ତାରିଖ ଦିନ ସଦର ରେଂଜ କାର୍ଯ୍ୟାଳୟ ଘେରାଉ କରି ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ସମ୍ବନ୍ଧିତ ଖବର