କେନ୍ଦ୍ରାପଡ଼ା: ଜଳସ˚ପଦ ବିଭାଗ ମହାନଦୀ ଉତ୍ତର ବିଭାଜନର ପୁନ୍ଦାଳ ସବ୍‌ଡିଭିଜନ୍‌ ଅନ୍ତର୍ଗତ ନାରାୟଣପୁର ଉପକଣ୍ଠ ସେକସନ୍‌ ଅଫିସ୍‌ ଭିତରେ ଦୁଇ ଯନ୍ତ୍ରୀଙ୍କ ମଦ ଆସର ଭିଡିଓ ଭାଇରାଲ୍‌ ଘଟଣାକୁ ନେଇ ଶନିବାର ‘ସମ୍ବାଦ’ରେ ଖବର ପ୍ରକ‌ାଶ ପାଇବା ପରେ ତନାଘନା ଆରମ୍ଭ ହୋଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଘଟଣାରେ ସଂପୃକ୍ତ ଦୁଇ ଯନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅଫିସ୍‌ ଭିତରେ ମଦ୍ୟପାନ କରି ଏଭଳି ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବା ଦୁଇ ଯନ୍ତ୍ରୀଙ୍କୁ କୌଣସି ପରିସ୍ଥିତି‌ରେ କ୍ଷମା ନ ଦେବାକୁ ଏକ ଟୁଇଟ୍‌ର ଉତ୍ତରରେ ଶ୍ରୀ ଜେନା ବିଭାଗକୁ ଚେତାଇ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଏଭଳି କଡ଼ା ଆଭିମୁଖ୍ୟ ଦୁଇ ଯନ୍ତ୍ରୀଙ୍କ ଅଡ଼ୁଆ ବଢାଇ ଦେଇଥିବା ବେଳେ ଜଳ ସମ୍ପଦ ବିଭାଗରେ ଆଲୋଡ଼ନ ଖେଳାଇ ଦେଇଛି। ନାରାୟଣପୁର ସେକସନ୍‌ରେ ଏପ୍ରକାର ମଦ୍ୟପାନ ଘଟଣା କୁଆଡେ଼ ନୂଆ ନୁହେଁ। ନିୟମିତ ଅଫିସ୍‌ ସମୟରେ ଏ ପ୍ରକାର ମଦ ଆସର ଜମେ ବୋଲି ଚର୍ଚ୍ଚା ହେଉଛି। ସହକାରୀ ଯନ୍ତ୍ରୀ ଅଶୋକ ସାହୁ ସେହି ଅଫିସ୍‌ରେ ହିଁ ରୁହନ୍ତି। କିଛି ଠିକାଦାର ବି ତାଙ୍କ ଆସରରେ ସାମିଲ୍‌ ହୁଅନ୍ତି ଏବ˚ ଖଲାସୀ କର୍ମଚାରୀ ଯୋଗାଡ଼ିଆ ହିସାବରେ ସବୁକିଛି କାମ କରେ ବୋଲି କୁହାଯାଉଛି। ଭାଇରାଲ୍‌ ଭିଡିଓରେ ଶ୍ରୀ ସାହୁଙ୍କ ସହିତ ଅନ୍ୟ ଯେଉଁ ଡ୍ରେନେଜ୍‌ ବିଭାଗର ଯନ୍ତ୍ରୀ ରାଜେନ୍ଦ୍ର ବରିହା ଅଛନ୍ତି, ସେ ଆସରରେ ନିୟମିତ ବ୍ୟବଧାନରେ କୁଆଡେ଼ ସାମିଲ୍‌ ହୁଅନ୍ତି।

Advertisment

ଘଟଣା ଦିନ ଯନ୍ତ୍ରୀ ଶ୍ରୀ ବରିହା ଡ୍ରେନେଜ୍‌ ଡିଭିଜନ୍‌ ଚାଲିଥିବା କାମ ତଦାରଖ କରିବାକୁ ଯାଇଥିଲେ। କିନ୍ତୁ କାମ ତଦାରଖ କରିବା ପରିବର୍ତ୍ତେ ଶ୍ରୀ ସାହୁଙ୍କ ସହିତ ଅଫିସ୍‌ରେ ମିଶି ମଦ ଆସରରେ ମାତିଗଲେ। ଶ୍ରୀ ସାହୁ ଆସରକୁ ଉପଭୋଗ କରିବାକୁ ଯାଇ ପ୍ୟାଣ୍ଟ୍‌-ସାର୍ଟ ବି ଖୋଲି ଦେଲେ। ଫୁଙ୍ଗୁଳା ଦେହରେ ହାପ୍‌ ପ୍ୟାଣ୍ଟ୍‌ ପିନ୍ଧିଥିବାର ଭିଡିଓ କଏଦ୍‌ ହୋଇଥିଲା। ଭିଡିଓ ପ୍ରଘଟ ପରେ ଯନ୍ତ୍ରୀ ଶ୍ରୀ ସାହୁ ନିଜ ଉପରୁ ଦୋଷ ଖସାଇଦେବାକୁ ଯାଇ ସଫେଇ ଦେଉଛନ୍ତି ଯେ ଯନ୍ତ୍ରୀ ବରିହା ବାବୁ ମଦ ନେଇ ଆସିଥିଲେ। ପିଇବାକୁ କହିବାରୁ ତାଙ୍କୁ ଅଫିସ୍‌ରେ ବସିବାକୁ କହିଦେଲି। ମୁଁ କିନ୍ତୁ ପିଉନଥିଲି। ତାଙ୍କ ପାଖରେ ବସିଥିଲି। ହେଲେ ଚେୟାର‌୍‌ରେ ଦୁଇ ଯନ୍ତ୍ରୀଙ୍କ ସହିତ ଅଫିସ୍‌ର ଜଣେ ପୁରାତନ କର୍ମଚାରୀ ବସିଥିବା ବେଳେ ଟେବୁଲ୍‌ରେ ତିନି ଗ୍ଲାସ୍‌ ମଦ ଭର୍ତ୍ତି ହୋଇ ରହିଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି। ଏଇଠୁ ପ୍ରମାଣିତ ହେଉଛି ସମସ୍ତେ ମଦ ପିଉଥିଲେ। ଖଲାସୀ ଜଣକ ଯୋଗାଡ଼ିଆ ହିସାବରେ ସହଯୋଗ କରୁଥିବା ବି ଭିଡିଓରେ ଦେଖିବାକୁ ମିଳୁଛି। ତେଣୁ ମଦ୍ୟପାନ କରୁ ନ ଥିବା ନେଇ ଶ୍ରୀ ସାହୁ ଯାହା କହୁଛନ୍ତି, ତାହା ମିଛ ଏବ˚ ଡ୍ରେନେଜ୍‌ ଯନ୍ତ୍ରୀଙ୍କ ମୁଣ୍ତରେ ସବୁତକ ଦୋଷ ଲଦି ନିଜେ ଖସିଯିବାକୁ ଚେଷ୍ଟା କରୁଛନ୍ତି। ହେଲେ ଭୁଲିଯାଉଛନ୍ତି ଯେ ଅଫିସ୍‌ ଦାୟିତ୍ବରେ ସେ ନିଜେ ହିଁ ଥିଲେ। ଏହି ଘଟଣାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକା‌ଶ ପାଇବା ପରେ ରାଜ୍ୟବାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ପ୍ରକାଶିତ ଖବର ସହ ଅନୁପ କୁମାର ରାଉତ ନାମକ ବ୍ୟକ୍ତି ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କୁ ଟୁଇଟ୍‌ କରିଥିଲେ। ଏହି ଟୁଇଟ୍‌ର ଉତ୍ତରରେ ଗତକାଲି ଶ୍ରୀ ଜେନା ମଦ୍ୟପାନ କରୁଥିବା ଦୁଇ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ପଟେ ମୁଖ୍ୟ ଶାସନ ସଚିବ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ବିଭାଗୀୟ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣ ରଥ କହିଛନ୍ତି ଅଫିସ୍‌ ଭିତରେ ମଦ୍ୟପାନ ଘଟଣାକୁ ବରଦାସ୍ତ କରାଯିବ ନାହିଁ। ଏହାକୁ ଅତି ଗୁରୁତର ସହ ନିଆଯାଇଛି। ଖୁବ୍‌ଶୀଘ୍ର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ।